Unknown

 

 

 

 

 

 

 

 

 

 

ଉଚ୍ଛ୍ୱାସ

କୁନ୍ତଳା କୁମାରୀ ସାବତ

 

ନିବେଦନ

 

ଏହି କ୍ଷୁଦ୍ର ପୁସ୍ତକ ଅନ୍ତର୍ଗତ ପଦ୍ୟ ମଧ୍ୟରୁ ଅଧିକାଂଶ ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶିତ ହୋଇଥିଲା । ସେ ସମୟରେ ସହୃଦୟ ପାଠକପାଠିକଣାମାନଙ୍କଠାରୁ ଯଥେଷ୍ଟ ଉତ୍ସାହ ଓ ସହାନୁଭୂତି ପଦ୍ୟଗୁଡ଼ିକ ପୁସ୍ତକାକାରରେ ପ୍ରକାଶ କରିବାକୁ ସାହସୀ ହେଲି । ଆଶାକରେ, ସୁଧୀବୃନ୍ଦ ମୋହର ତ୍ରୁଟି ଥିଲେ ମାର୍ଜନା କରିବେ ।

 

ପରିଶେଷରେ ମୋହର ପରମଶ୍ରଦ୍ଧାସ୍ପଦ କବି ରାୟସାହେବ ଶ୍ରୀଯୁକ୍ତ ନନ୍ଦକିଶୋର ବଳ, ବି.ଏ., ବି.ଟି. ମହାଶୟ ‘‘ଉଚ୍ଛାସ’’ର କବିତାଗୁଡ଼ିକୁ ପାଠକରି ଯେଉଁ ଉତ୍ସାହଜନକ ମନ୍ତବ୍ୟ ପ୍ରକାଶ କରିଛନ୍ତି, ତାହା ପୁସ୍ତକର ଭୂମିକା ଆକାରରେ ପ୍ରକାଶ କଲି ଏବଂ ସେଥିପାଇଁ ମୁଁ ତାଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ନିବେଦନ କରୁଅଛି ।

 

କଟକ

ଇତି

୨୫.୦୭.୧୯୧୪

ପ୍ରଣେତ୍ରୀ

 

ଭୂମିକା

 

କୁମାରୀ କୁନ୍ତଳାକୁମାରୀ ସାବତଙ୍କ ପ୍ରଣୀତ ‘‘ଉଚ୍ଛାସ’’ ନାମକ କବିତା ପୁସ୍ତକ ପଢ଼ି ମୁଁ ଅତି ଆନନ୍ଦିତ ହୋଇଅଛି । କବିଙ୍କର ଏହି ପ୍ରାଣର ‘‘ଉଚ୍ଛାସ’’ରେ ଶେଫାଳୀ ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି ଓ ସହକାର ପ୍ରତି ଏହି ଛଅଟି କବିତା ତରଙ୍ଗ ଉଚ୍ଛ୍ୱସିତ ହୋଇଅଛି-। ପ୍ରକୃତିର ଯେଉଁ ସାମଗ୍ରୀମାନ କବିମାନଙ୍କର ଚିର ସମ୍ୱଳ ଆମ୍ଭମାନଙ୍କୁ କବି ତନ୍ମଧ୍ୟରୁ ଶ୍ରେଷ୍ଠ ଛଅଟି ବାଛି ନେଇ ଅତି ମନୋହର ଭାଷାରେ ଏହି କମନୀୟ ହାରଟି ଗୁନ୍ଥି ଉତ୍କଳଭାରତୀଙ୍କ କଣ୍ଠରେ ପିନ୍ଧାଇ ଦେଇଅଛନ୍ତି । କବି କୁନ୍ତଳାକୁମାରୀ ଇତିପୂର୍ବେ ‘‘ମଣିକାଞ୍ଚନ’’, ‘‘ବୈଶାଖ’’ ପ୍ରଭୃତି ବହୁ ସୁକବିତା ‘‘ଉତ୍କଳ ସାହିତ୍ୟ’’ ପତ୍ରିକାରେ ପ୍ରକାଶ କରି ଏବଂ ତଦୀୟ ‘‘ଭ୍ରାନ୍ତି’’ ଓ ‘‘ଅଞ୍ଜଳି’’ ଗ୍ରନ୍ଥଦ୍ୱୟ ପ୍ରଣୟନ ଓ ପ୍ରକାଶପୂର୍ବକ ଉତ୍କଳର ସାରସ୍ୱତ ଧାମରେ ସ୍ୱାଗତ ସମ୍ଭାଷଣ ସହକାରେ ଗୃହୀତ ହୋଇ ସାରିଅଛନ୍ତି । ବର୍ତ୍ତମାନ ପ୍ରାଣର ଗଭୀରତମ ପ୍ରଦେଶରେ ଭାବତରଙ୍ଗ ସମ୍ୱଳିତ ଏହି ‘‘ଉଚ୍ଛ୍ୱାସ’’ ଗ୍ରନ୍ଥ ପ୍ରକାଶ କରିବା ଦ୍ୱାରା ସେ ଉତ୍କଳ ସାହିତ୍ୟ, ତଥା ଉତ୍କଳ ନାରୀସମାଜକୁ ଗୌରବାନ୍ୱିତ କରିଅଛନ୍ତି । ଏତେ ଅଳ୍ପ ବୟସରେ ଏବଂ ସାହିତ୍ୟଚର୍ଚ୍ଚାର ପ୍ରତିକୂଳ ଡାକ୍ତରି ବିଦ୍ୟାନୁଶୀଳନ ମଧ୍ୟରେ ନାରୀ କାହିଁକି, ପୁରୁଷ ଲେଖକ ଓ କବି ମଧ୍ୟରେ ସୁଦ୍ଧା କୁନ୍ତଳାଙ୍କ ପ୍ରତିଦ୍ୱନ୍ଦୀ ଉତ୍କଳରେ ବିରଳ । ତଦୀୟ ନିସର୍ଗଦତ୍ତ ପ୍ରତିଭାହିଁ ତାଙ୍କର ଅଦ୍ଭୁତ ବିକାଶର ହେତୁ ବୋଲି ପ୍ରତୀୟମାନ ହୁଏ ।

 

ଆମ୍ଭମାନଙ୍କ ନବୀନ କବିଙ୍କର ଗୋଟିଏ ବିଶେଷତ୍ୱ ଏହି ଯେ, ତାଙ୍କର ସବୁ କବିତା ଭଗବତ୍‌ପ୍ରେମୀ ଦ୍ୱାରା ପବିତ୍ରୀକୃତ ଓ ଧର୍ମଭାବାନୁପ୍ରାଣିତ । ଅୟସ୍ଲାନ୍ତ ମଣି ଯେପରି ସର୍ବଦା ଓ ସର୍ବତ୍ର ଚୁମ୍ୱକପ୍ରସ୍ତର ପ୍ରତି ଆକୃଷ୍ଟ ହୁଏ, ସେହିପରି ଏହି କବିଙ୍କର ସବୁ କବିତା ଈଶ୍ୱରଭକ୍ତିପୂତ ଓ ପୂଣ୍ୟଭାବବିଧୌତ ଅଟେ । ଜଗତର ଶ୍ରେଷ୍ଠ ଭକ୍ତ ଓ କବିମାନେ ତିନି ରୂପରେ ଈଶ୍ୱରସତ୍ତା ଅନୁଭବ କରି ପାଠକସମାଜ ସମ୍ମୁଖରେ ସମୁସ୍ଥାପିତ କରିଥାଆନ୍ତି; ଯଥା-ପ୍ରକୃତିରେ ପରମେଶ୍ୱର (God is Nature), ମାନବ ସମାଜ ବା ଇତିହାସରେ ଈଶ୍ୱର (God in society or God in History) ଏବଂ ମାନବାତ୍ମାରେ ଈଶ୍ୱର (God in the Human Soul) । ଆମ୍ଭମାନଙ୍କ ନବୀନ କବି ଅଳ୍ପ ବୟସରେ ନିସର୍ଗ ଲାବଣ୍ୟ ମଧ୍ୟରେ ବିଶ୍ୱ ସ୍ରଷ୍ଟାଙ୍କର ମହୀୟାନ୍‌ ସତ୍ତାର ନିଦର୍ଶନ ପାଇ ଏବଂ ଗଭୀରଭାବରେ ତାହା ପ୍ରାଣରେ ଅନୁଭବ କରି ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଅଛନ୍ତି । ଆଦିରସ ବହୁଳ ଉତ୍କଳ ସାହିତ୍ୟ ଏପରି ପୂଣ୍ୟସଙ୍ଗୀତ ଦ୍ୱାରା ପୁଣ୍ୟ ଶ୍ରୀମଣ୍ଡିତ ହୋଇଅଛି । ମୁଁ ଆଶା କରେଁ, କବି କୁନ୍ତଳାକୁମାରୀଙ୍କ ଏହି ପବିତ୍ର ସୁନ୍ଦର ଆରତିସଙ୍ଗୀତରେ କାଳେ ଉତ୍କଳ-ସାହିତ୍ୟ-ମନ୍ଦିର ପ୍ରତିଧ୍ୱନିତ ହେବ ଏବଂ ତଦୀୟ ଧୂପଧୂନାସୌରଭ ଓ ପୂଜାପୁଷ୍ପଚନ୍ଦନର ପରିମଳ ଦ୍ୱାରା ତାହା ଆମୋଦିତ ହେବ ।

 

କୁନ୍ତଳା କୁମାରୀଙ୍କର ଅନ୍ୟ ଗୋଟିଏ ବିଶେଷତ୍ୱ ଏହି ଯେ, ତଦୀୟ କବିତାରେ ଗୋଟିଏ ଅପୂର୍ବ ଭାବାବେଶ ଅଛି । ଯେଉଁ ଗୁଣ ଥିବାରୁ ବଙ୍ଗର ନାରୀ କବି କାମିନୀ ସେନଙ୍କର ‘‘ଆଲୋ ଓ ଛାୟା’’ ଏଡ଼େ ମଧୁର ଓ ମର୍ମସ୍ପର୍ଶୀ, ‘‘ଉଚ୍ଛ୍ୱାସ’’ର ସ୍ଥାନେ ସ୍ଥାନେ ସେହି ଆବେଶର ଆଭାସ ପାଇ ମୁଁ ମୁଗ୍‌ଧ ହୋଇଅଛି । ଭଗବାନ ଆଶିର୍ବାଦ କରନ୍ତୁ, ଏହି ଅକାଳବାର୍ଦ୍ଧକ୍ୟ-ପ୍ରପୀଡ଼ିତ ଉତ୍କଳ-ସାହିତ୍ୟ କ୍ଷେତ୍ରରେ ଏହି ନବୀନ କବି ଦୀର୍ଘକାଳ ଲେଖନୀ ଚାଳନା କରି ସ୍ୱୀୟ ଅନନ୍ୟସୁଲଭ ପ୍ରତିଭାର ସଦ୍‌ବ୍ୟବହାରପୂର୍ବକ ତାହାର, ତଥା ଉତ୍କଳ ସାହିତ୍ୟର ବିକାଶସାଧକ କରନ୍ତୁ ।

ଇତି ମଧ୍ୟରେ କେତେକ ପ୍ରବୀଣ ସାହିତ୍ୟସେବକ ମତ ଦେଇ ସାରିଲେଣି, କୁନ୍ତଳା କୁମାରୀ ରଚନା-ପ୍ରାଚୁର୍ଯ୍ୟ-ଦୋଷଯୁକ୍ତ (Prolific writer)। ସାହିତ୍ୟ ସର୍ଜନାଠାରୁ ସାହିତ୍ୟ ସମାଲୋଚନା ସବୁଯୁଗରେ ସହଜତର । କବିଠାରୁ ସମାଲୋଚକ ଚିରଦିନ ବଡ଼ ହୁଏ । ଆଧୁନିକ ଉତ୍କଳ ଯାହା ହେଉ, ଏହା ବହୁ କାବ୍ୟ-କବିତା-ସଙ୍ଗୀତ-ସ୍ରଷ୍ଟା ଉପେନ୍ଦ୍ର ଭଞ୍ଜଙ୍କ କାର୍ଯ୍ୟକ୍ଷେତ୍ର । ନିର୍ଭୀକଭାବରେ କୁନ୍ତଳାକୁମାରୀଙ୍କ ଲେଖନୀ ଅଜସ୍ର ଚାଳିତ ହେଉ ।

 

ଜଗତ୍‌ ପୂର୍ଣ୍ଣତାର ସ୍ଥାନ ନୁହେ । ଯେଉଁ ଆବେଶମୟୀ ଭାଷା ପ୍ରାଚୀନ ଉତ୍କଳ ସାହିତ୍ୟର କମନୀୟ ପରିଚ୍ଛଦ, ଯେଉଁ ‘‘ପାଟପୀତାମ୍ୱରୀ’’ ଭଞ୍ଜ-କବିସୂର୍ଯ୍ୟଙ୍କ ନିସର୍ଗଦତ୍ତ ତୂଳିକାର ଚିର-ସହଚର ଯାହା ରାଧାନାଥ ଧୁରନ୍ଧରରୂପେ ଅନୁକରଣ କରିପାରିଥିଲେ, ସେହି ଶବ୍ଦବିଭବ ଓ ଶବ୍ଦ ସଂଯୋଜନା, ‘‘ଉଚ୍ଛ୍ୱାସ’’ରେ ଅଧିକ ନଥିଲେ ହେଁ ତହିଁରେ ବିଷୟର ଉପଯୋଗୀ ଓ ଆଧୁନିକ ପ୍ରାଞ୍ଜଳ ପଦବିନ୍ୟାସ-ପାଟବର ଅଭାବ ନାହିଁ । କବିଙ୍କର ପ୍ରଥମ କାର୍ଯ୍ୟକ୍ଷେତ୍ର ଅନ୍ୟତ୍ର ଥିଲେ ହେଁ ଆଶା ଅଛି, ବୁଦ୍ଧିମତୀ ଲେଖିକା କାଳକ୍ରମେ ଓଡ଼ିଆ ଭାଷାର ନିଜସ୍ୱକୁ ଆୟତ୍ତ କରି ଅଧିକ ଭାବରେ ପ୍ରୟୋଗ କରିବେ ।

 

ଉଦାର ବିଶ୍ୱକାଳୀନ ଭାବ କବିଙ୍କର ଅନ୍ୟତମ ବିଶେଷତ୍ୱ । ତାଙ୍କ କବିତାରେ ଭାରତ ଆସମୁଦ୍ର ପୃଥିବୀ ନୁହେ, ଭାରତ ପୃଥିବୀର ଅଂଶ ମାତ୍ର ।

‘‘ସାରଳା ଉପେନ୍ଦ୍ର କାଳିଦାସ ଆଦି

ହୋମର ହାଫେଜ ଭବଭୂତି ସାଦି

ବାଇରନ୍ ଶେଲି ମୁର ଟେନିସନ୍‌

......... .............. ....ମିଲ୍ଟନ୍‌ ।

‘‘.....ସୀତା ଦୁର୍ଗାବତୀ ମୀରା

ପୂଣ୍ୟବତୀ ଦେବୀ ରାଣୀ ଭିକ୍ଟୋରିଆ

ଅହଲ୍ୟା ଫ୍ଲୁରେନ୍‌ସ ମୂର୍ତ୍ତିମଦୀ ଦୟା ।’’

‘‘ନିରଞ୍ଜନାକୂଳେ ମହୋଦଧିମୂଳେ

ଶାକ୍ୟସିଂହ...... .......... ...........

ଘୋର ମରୁଦେଶେ ଋଷି ମହମ୍ମଦ

ଖ୍ରୀଷ୍ଟ ଚୈତନ୍ୟଙ୍କ ମହାପ୍ରେମଧର୍ମ ।’’

‘‘...... ........ ପ୍ରଜାରଞ୍ଜନ ଶ୍ରୀରାମ

ସୂତ୍ରଧରସୁତ କ୍ଷୁଦ୍ର ନାଜରିତ

ବାସସ୍ଥାନ ଯାର ଭୂତଳେ ବିଦିତ ।’’

‘‘ଭୀଷଣ ଦାସତ୍ୱ ପ୍ରଥାରେ ଥିଓଡ଼ର’’

‘‘ତେଜସ୍ୱୀ ତରୁଣ କାସାବିଏଙ୍କା’’

‘‘ବୀର ସିକନ୍ଦର’’ ‘‘ନେପୋଲ୍ୟେନ୍‌ ମହାବୀର’’

‘‘ସାଧୁ ଫର୍ଡିନାଣ୍ଡ’’

‘‘ତାଜମହଲ’’ ‘‘ନୀଳାଚଳ’’

‘‘ନରରକ୍ତ ପାପୀ ବର୍ବର ଆରବ’’

‘‘ଆଫ୍ରିକା ପ୍ରାନ୍ତରେ ସଦ୍ୟମାଂସଭୋଜୀ---

କାଫ୍ରି କୁଟୀର’’

ଏ ସମସ୍ତଙ୍କ ସ୍ଥାନ ତାଙ୍କ କବିତାକ୍ଷେତ୍ରର ଅନ୍ତର୍ଗତ ।

 

ନାନା ଉଦ୍ଦେଶ୍ୟରେ ଓ ନାନା କର୍ମକ୍ଷେତ୍ର ଅବଲମ୍ୱନ କରି ସାହିତ୍ୟ ସୃଷ୍ଟି ଓ କାବ୍ୟ ରଚନା ହୋଇଥାଏ । ଇଂରେଜ ନାରୀ କବି ଶ୍ରୀମତୀ ହେମାନ୍‌ସ (Mrs Hemans) କେତୋଟି ପାରିବାରିକ ଜୀବନସମ୍ୱନ୍ଧୀୟ କବିତା ଓ ବାଳକ ବୀର କାସାବିଏଙ୍କାର ଜ୍ୱଳନ୍ତ କର୍ତ୍ତବ୍ୟ-ପରାୟଣତା ଓ ମହୀୟାନ୍‌ ମୃତ୍ୟୁର ବିଷାଦଗାଥା ଗାଇ ଇଂରାଜୀ ସାହିତ୍ୟଜଗତରେ ଅମର ହୋଇଅଛନ୍ତି । ଲଙ୍ଗ୍‌ଫେଲୋ କେବଳ ତାଙ୍କର ଜୀବନ-ସଙ୍ଗୀତ (Psalm of Life) ଲେଖି ଏବଂ କବି ଗ୍ରେ ତଦୀୟ ଗ୍ରାମଶ୍ମଶାନ କବିତାଦ୍ୱାରା ଚିରଜୀବିତ । ବଙ୍ଗ କବି କାମିନୀ ସେନ ନିରାଶ ପ୍ରଣୟର ମର୍ମସ୍ପର୍ଶୀ ଗାଥା ଗାଇ ସାହିତ୍ୟରେ ଉଚ୍ଚ ସ୍ଥାନ ଲାଭ କରିଅଛନ୍ତି । ‘‘ବିଭୁଙ୍କର ସମସ୍ତ ବିଧାନ ମଙ୍ଗଳମୟ ଏହା ସମର୍ଥନ କରିବା (To justify the ways of God to man)’’ କବିଙ୍କର ମିଲଟନ୍‌ଙ୍କ ମତରେ କବିତାର ଉଦ୍ଦେଶ୍ୟ । କବିତାର ଏହି ମହଦ୍‌ ଉଦ୍ଦେଶ୍ୟ ସାଧିତ ହୋଇଥିବାରୁ କବୀନ୍ଦ୍ର ରବୀନ୍ଦ୍ରଙ୍କ ‘‘ଗୀତାଞ୍ଜଳୀ’’ ଜଗଦ୍‌ବିଖ୍ୟାତ । ଆମ୍ଭମାନଙ୍କ ଉତ୍କଳର ଏହି ବାଳିକା କବି ପୂଜାକୁସୁମମାଳା ହସ୍ତରେ ଧାରଣ କରି ‘‘ମନ୍ଦିରପଥବର୍ତ୍ତନୀ’’ ରୂପେ ଆଜି ଦଣ୍ଡାୟମାନ । ନାରୀ କବି ପକ୍ଷରେ ଏହାହିଁ ବିଶେଷଭାବରେ ଶୋଭନୀୟ । ‘‘ଉଚ୍ଛ୍ୱାସ’’ କବିଙ୍କର ଉଦ୍ଦାମ ଉଚ୍ଛ୍ୱାସତରଙ୍ଗର ସେହି ମଙ୍ଗଳବିଧାତା ମହତୋମହୀୟାନ୍‌ ବିଶ୍ୱନିୟନ୍ତା ଅଥଚ ଚିରଲୀଳାମୟ ପ୍ରାଣର ଶ୍ରୀହରିଙ୍କ ଶ୍ରୀପାଦପଦ୍ମରେ ସମର୍ପିତ । କବିତାର ଛତ୍ରେ ଛତ୍ରେ ଏହି ଧର୍ମଭାବ, ଈଶ୍ୱରନିର୍ଭରଶୀଳତା, ସେବାଧର୍ମରେ ପ୍ରାଣ ଉତ୍ସର୍ଗ କରିବାର ଆକାଙ୍‌କ୍ଷା ପରିସ୍ପୁଟ ହୋଇଅଛି । କବିଙ୍କ ନିଜ ଅମୃତମୟୀ ଭାଷାରେ ତାହା ଆମ୍ଭେମାନେ ଶୁଣିବା ।

 

(୧)

 

‘‘ଶେଫାଳି !

ତୋହପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ,

ହସେ, ବସେ, ରସେ ମାତ୍ର ଫୁଟି ଅଛି ଘଡ଼ିକ,

ମାଟିରେ ମିଶିବୁ ତୁହି,       ମାଟିରେ ମିଶିବ ମୁହିଁ,

ତଥାପି ମୋ ଆତ୍ମାଫୁଲ ନ ଯିବ ତ ମଉଳି,

ତେଣୁ ଆଶା ବହି ଦିନ କାଟେଁ ଗଙ୍ଗଶିଉଳି !’’

 

(୨)

‘‘ଚନ୍ଦ୍ର !

ଅନ୍ତରେ ତାହାର ଶୁଣେ ମଧୁସ୍ୱର,

କର୍ତ୍ତବ୍ୟ କାରଣେ ତାଳେ ନିରନ୍ତର,

କର୍ତ୍ତବ୍ୟରେ ସୁଖ କହେ ନିତି ମୋତେ,

କର୍ତ୍ତବ୍ୟେ, କର୍ତ୍ତବ୍ୟ ବୁଝିବି କେମନ୍ତେ ?

ତୁ ବୁଝୁ କର୍ତ୍ତବ୍ୟ ତୋର,

ସ୍ୱସମୟେ ଭଦି      ଅମ୍ବରେ ଜଣାଉ—

କର୍ତ୍ତବ୍ୟରେ ସୁଖ ମୋର ।’’

 

(୩)

‘‘କର ଲୋ ତୋ ପରି ମୋତେ କାମିନୀ ସୁନ୍ଦରି !

କର ପୂତ ସୁବାସିତ ମୋ କ୍ଷୁଦ୍ର ହୃଦୟ,

ଢାଳୁ ପ୍ରତି ପ୍ରାଣେ ପ୍ରେମପୂତ ଶାନ୍ତିବାରି,

ହେଉ ମୋ ଭୂଷଣ ଲଜ୍ଜା, ନମ୍ରତା, ବିନୟ ।’’

 

(୪)

‘‘ସେ କାନ୍ତ କିରଣ ବିନା କାନ୍ଦେ ଅହରହ,

ଜୀବନ-ବସନ୍ତ ମୋର ଏ ମଧୁ-ପ୍ରଭାତେ

ଉଦିବେ ସେ ପ୍ରେମଭାନୁ ହୃଦାକାଶପ୍ରାନ୍ତେ,

ଅବା ଅଜ୍ଞାନତାଘନ            କରିଅଛି ସମ୍ମାଚ୍ଛନ୍ନ

ମୋହର ହୃଦୟ ପୁଣ୍ୟ ପ୍ରେମମୟ ରବି,

କ୍ଷଣେ ଅପସରିଗଲେ ଦିଶିଯିବ ଛବି ।’’

 

(୫)

‘‘ଜାଣେ ମୋର ହେବ ନିଶ୍ଚୟ ପତନ,

ଲଭି ଦୁଃଖ କିନ୍ତୁ କରିବି ଯତନ,

ଉଠି ପଡ଼ି ମୁହିଁ ଧାଇଁବି ଏକାଗ୍ରେ,

ପର୍ବତ ସମାନ ବିଘ୍ନ ଆସୁ ଅଗ୍ରେ

ଅବହେଳି ତାହା ଦଳି ପଦତଳେ

ଧାଇଁଯିବି ପ୍ରଭୁ ଶୁଭାଶିଷ ବଳେ

ସମର୍ପି ହୃଦୟ ମନ

ପାଦପଦ୍ମତଳେ            ଅନନ୍ତ ବିଶ୍ୱାସେ

ତେଜି ତୁଚ୍ଛ ଅହଂଜ୍ଞାନ ।’’

‘‘ରେ ରସାଳଦ୍ରୁମ !

ଶଖାଅ ହେବି ତୋ ସମ

ସୁବିନୀତ ନମ୍ରମନ,

ଅକାତରେ ଭବସେବା ଯାଉଥିବି କରି,

ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ।

ପ୍ରତିଦାନ ବନା ହିତ କରିବି ତୋ ପରି ।’’

 

ଏହା ଉପରେ କଥା ନାହିଁ । ଏହି ନିଷ୍କାମଧର୍ମ ହିଁ ମାନବର ଶ୍ରେଷ୍ଠ ଧର୍ମ । ଜ୍ଞାନୀ ହୁଅ, ଧର୍ମବୀର ହୁଅ, କର୍ମବୀର ହୁଅ, ସ୍ୱଦେଶପ୍ରେମିକ ହୁଅ, କବି ହୁଅ, ଏହି ଅପୂର୍ବ ସେବାଧର୍ମର ପ୍ରଚାର ଓ ଆଚାରଦ୍ୱାରା ସ୍ୱଦେଶ, ସ୍ୱଜାତି ତଥା ସାରା ଧରିତ୍ରୀର ମୁଖ ଉଜ୍ୱଳ କରି ସ୍ୱଜୀବନ ଧନ୍ୟ କର ।

 

ଡେଲାଙ୍ଗ, ପୁରୀ

 

୨୫/୦୭/୧୯୨୪      

ଶ୍ରୀ ନନ୍ଦକିଶୋର ବଳ

 

(ପ୍ରଥମ ତରଙ୍ଗ)

ଶେଫାଳୀ ପ୍ରତି

 

ଶେଫାଳି!

କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ,

ଭୁରୁଭୁରୁ ଗନ୍ଧ ତୋର ଭାସି ଆସେ ପବନେ ।

ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ

ହସି ହସି ସତେ ଉଇଁଆସେ ଦୁର ଗଗନେ,

ଭାବାବେଶେ ମୁଗ୍‌ଧ ମୁଁ କି ମଜ୍ଜିଅଛି ସ୍ୱପନେ ।

 

ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା,

ଅନ୍ତର ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା ।

ବିଶାଳ ଏ ବିଶ୍ୱକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ

ଦେଖେଁ ସତେ ଶୋଭାରାଶି ପଡ଼ୁଅଛି ଉଚ୍ଛୁଳି,

ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗଶିଉଳି !

 

ଶାରଦ ଦିନାନ୍ତେ ବସି ବାତାୟନ ପାଶରେ

ବୁଡ଼ିଅଛି ମନ ମୋର କିବା ପ୍ରେମରସରେ,

ଆଦେଶେ ପୁଲକେ ମୋର      ନୟନରୁ ବହେ ଧାର,

ହୃଦତନ୍ତ୍ରୀ ବାଜିଉଠେ କି ଅମୃତ ସୁସ୍ୱରେ,

ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ୱର୍ଗରେ ।

 

ସାରାଦିନ ପରିଶ୍ରମ କ୍ଳେଶ କ୍ଳାନ୍ତି ଅଶେଷ,

ନାନା ଚିନ୍ତା ରୋଗ ଶୋକ କଷ୍ଟ ଦେଲା ଦିଶେଷ ।

ଯହୁଁ ରବି ଅସ୍ତାଚଳେ            ଧୀରେ ଧୀରେ ଜଳିଗଲେ,

ସନ୍ଧ୍ୟାଗାଥା ଗାଇ ପକ୍ଷୀ ଫେରିଲେ ସ୍ୱସଦନେ,

ତମୋରାଶି ବୋଳିଦେଲା ନିଶା ଧାରା ଆନନେ ।

 

ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତଲୋଚନେ

ଦେଖା ଦେଲେ ଶତ ଶତ ତାରା ଜ୍ୟୋତିଦସନେ।

ଅଙ୍ଗେ ଦୋଳି ସୁଧାରାଶି       ଶଶାଙ୍କ ଉଇଁଲା ଆସି

ଝରି ଝରି ପଡ଼ିଲା କି ଭୁବନରେ ଅମୃତ,

ସତେ ଧରଣୀରାଣୀ ଦୁଃଖ ହେଲା ବିସ୍ତୃତ ।

 

ରବି ବିରହରେ ଧନୀ କାନ୍ଦିଥିଲା ମଉନେ

ଅନ୍ଧକାରେ ନତ ନେତ୍ରେ ବିଷାଦିତ ବଚନେ,

ଚାନ୍ଦ କି ଆସିଲା ଉଇଁ      ଚାନ୍ଦିନୀ ଚୁମ୍ୱିଲା ଭୁଇଁ

ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୂଳେ,

ଫୁଟିଲୁ ଶେଫାଳି ରହି ତୁ କି ପ୍ରେମଆକୁଳେ ।

 

ଶେଫାଳି !

ମୃଦୁ ମୃଦୁ ଗନ୍ଧ ତୋର ଭାସିଆସେ ପବନେ,

ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ !

ସତେ ମୋର ଦୁଃଖରାଶି       କ୍ଷଣେ କାହିଁଗଲା ଭାସି,

କେତେ କି କଳ୍ପନା ମେନ ଆସୁଅଛି ବିଜନେ,

କ୍ଷଣେ ପହଞ୍ଚିଲି ସତେ ଯାଇଁ ସ୍ୱର୍ଗଭୂବନେ।

 

ଶେଫାଳି !

କ୍ଷୁଦ୍ର ତୋର ତନୁ, ତହିଁ ଭରା ଏତେ ଅମୃତ,

ବିହିଲୀଳା କେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ !

ଗୋପନେ ଫୁଟିଛୁ ଦୂରେ      ତରୁପତ୍ର ଗହଳରେ,

ତଥାପି ତୋ ବାସେ ମୋର ପ୍ରାଣେ ହୁଏ ଆକୁଳ,

କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ !

 

କି କୋମଳ କି ଲଳିତ କି ମଧୁର ସୁରଭି,

କର୍କଶ କୁତ୍ସିତ ପତ୍ରେ ଶୋଭେ କିନ୍ତୁ ଅଟବୀ।

ରୁକ୍ଷ ପତ୍ରରାଶି କୋଣେ       ଫୁଲ ଫୁଟୁ ଏତେ ଗୁଣେ,

ଲୁଚି ଲଚି ବାସେ ତାର ମୁଗ୍‌ଧ କରୁ ସଂସାର,

ନୀଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର ।

 

ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ,

ଶାମୁକା ଗରରେ ନିହିଅଛି ମୁକ୍ତା ରତନେ,

କଳାମେଘ କଳେବରେ            ସୌଦାମିନୀ ଶୋଭା ଧରେ,

କଳା କୋକିଳ କଣ୍ଠରେ ପୂରିଅଛି ପୀୟୁଷ,

ତୁଚ୍ଛ ଭବେ ନୁହେ କିଛି, କ୍ଷୁଦ୍ର ତୋର ସଦୃଶ ।

 

ଶେଫାଳି !

ମନେ ମନେ ରୂପ ତୋର କଳ୍ପନାରେ ଆସେ କି,

ଭାବି ଭାବି କଥା ତୋର ଉଲ୍ଲାସରେ ଭାସେ କି ?

ଏକ ରାତ୍ରି ପାଇଁ ଫୁଟି ସୁବାସେ ଯାଉଛୁ ଲୋଟି,

କ୍ଷୁଦ୍ର ତୋର ଜୀବନରେ ସୁମହତ ବିକାଶ,

କ୍ଷୁଦ୍ର ବୋଲି ମୁହିଁ କିପାଁ ହୋଇବି ରେ ନିରାଶ ?

 

ଶେଫାଳି!

କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ,

ଚାହିଁଲେ ବିଶାଳ ବିଶ୍ୱ ଆସୁଛି କି ପରତେ ?

କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ       ଅକାରଣେ ଜନ୍ମିନାହିଁ,

ଅନନ୍ତ ବିକାଶ ମୋର ଲେଖାନାହିଁ କପାଳେ,

ଏକ ରାତି ପାଇଁ ଫୁଟି ଝଡ଼ିଯିବ ସକାଳେ !

 

ଶେଫାଳି

ନିତି ପ୍ରାତେ ଦେଖେଁ ପଡ଼ିଅଛୁ ତରୁମୂଳରେ,

ଢଳ ଢଳ ହିମବିନ୍ଦୁ ଶୋଭେ ଶୁଭ୍ର ବଳରେ,

ସ୍ଫଟିକେ ପ୍ରଦାନ ପରା            ଗଠିତ ତୋ ତନୁ ତୋରା,

ମନୋନ୍ମାଦକର ତହିଁ ତୂରିଅଛି ସୁବାସ,

କି କୋମଳ କି ଲଳିତ କି ମୋହନ ବିକାଶ !

 

କି ଯତନେ ଆହରି ମୁଁ ଗୁନ୍ଥେ ମାଳା ଆଦରେ,

ପୁଲକିତ ପ୍ରେମସ୍ପର୍ଶେ ଦୋଳାଏଁ ମୋ କଣ୍ଠରେ,

ଧୀରେ ପରଶି ଅଧରେ            କେତେ ମୁଁ ତୋତେ ଆଦରେ

କି ବୁଝିବୁ ପ୍ରାଣହୀନ, ଆକୁଳତା ମୋହର,

କେତେ ପ୍ରେମ କରେ ତୋତେ ଗୋପନ ମୋ ଅନ୍ତର ?

 

ଶେଫାଳି !

କହେଁ ତୋ ଆଗରେ ସବୁ, ତୁ କି ବନ୍ଧୁ ଜୀବିତ ?

ହେଲେ ମୋ ହୃଦୟ ଶତ ବେଦନାରେ ବ୍ୟଥିତ,

ଆପଣା ମନେ ମୁଁ ଭାଷେଁ       ତୋତେ ଶୁଣାଇବା ଆଶେ,

ଶୁଣି କି ନ ଶୁଣୁ ଏକା ଜାଣୁ ତୁହି ସୁମନ,

ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି-ବଚନ ।

କହି କହି କିନ୍ତୁ ମୁଁହିଁ ଲଭେଁ ପ୍ରାଣେ ଆରାମ

ତୋ ବୁଝିବା ନ ବୁଝିବା ମୋର ପକ୍ଷେ ସମାନ,

କହୁଥିବି ଦିବାରାତି,       ପ୍ରାଣେ ତ ଲଭିବି ଶାନ୍ତି,

ତୋ ଉଦ୍ଦେଶେ ଆରେ ଫୁଲ ମୋ ପ୍ରାଣର ଏ ବ୍ୟଥା,

ତୁ ନ ଶୁଣୁ, ଆଉ ଜଣେ ଶୁଣିବ ତ ମୋ କଥା

 

ଶେଫାଳି !

ମୋ ଜୀବନ ଶେଷ କାଳେ ପଡ଼ିବି ତ ମୁଁ ଝରି,

ତୋଳିନେଦ ନାହିଁ କି ସେ ମୋତେ ଯତ୍ନେ ଆହରି ?

ମୋ ଆତ୍ମାଫୁଲ ଚାରୁ            ଚରଣେ ଦଳିବାଠାରୁ

ତାର ପ୍ରିୟ ନିକେତନ ସଜାଇବ ନେଇ ସେ,

ତୋଷିବ ପ୍ରାଣଟି ମୋର କେତେ ପ୍ରେମ ଦେଇ ସେ ।

 

ଶେଫାଳି!

ତୋହ ପରି କ୍ଷୁଦ୍ର ମୁହିଁ, ତୋହ ପରି କ୍ଷଣିକ,

ହସେ ବାସେ ରସେ ମାତ୍ର ଫୁଟିଅଛି ଘଡ଼ିକ;

ମାଟିରେ ମିଶିବୁ ତୁହି,             ମାଟିରେ ମିଶିବି ମୁହିଁ,

ତଥାପି ମୋ ଆତ୍ମାଫୁଲ ନ ଯିବ ରେ ମଉଳି,

ତେଣୁ ଆଶା ବହି ଦିନ କାଟେଁ ଗଙ୍ଗଶିଉଳି !

 

ଶେଷ ଗତି ନୁହେ ମୋର ମୃତ୍ୟୁ କେଉଁକାଳରେ,

ମରିବାକୁ ଫୁଟିନାହିଁ ଭବତରୁ ଡାଳରେ;

ଅଛି ରମ୍ୟ ଉପବନ             ଯହିଁ ଫୁଟି ଚିରଦିନ

ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ

ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ ।

 

ଶେଫାଳି!

ମୃଣ୍ମୟ ଶରୀର ତୋର ଏଡ଼େ ଚାରୁ ଶୋଭିତ,

ନ ଜାଣେ ମୋ ଆତ୍ମାଫୁଲ କି ସୌନ୍ଦର୍ଯ୍ୟେ ଚିତ୍ରିତ,

ତୁ ଯଦି ମୋ ନେତ୍ରେ ପ୍ରିୟ, ତାଙ୍କ ନେତ୍ରେ ହେବି ହେୟ

ମୁଁ କି କେଉଁକାଳେ, ମୋର ନ ହୁଏ ତ ବିଶ୍ୱାସ,

ଫୁଟିବି ମୁଁ ଚିରଦିନ ନ ହେବ ମୋ ବିନାଶ ।

 

(ଦ୍ୱିତୀୟ ତରଙ୍ଗ)

ଚନ୍ଦ୍ର ପ୍ରତି

 

(୧)

ହସି ହସି ଚାନ୍ଦ ଉଦିଲୁ ଆକାଶେ

ନିର୍ମଳ କୌମୁଦୀ ମୋହନ ବିକାଶେ;

ଅନନ୍ତ ସାଗରରୂପୀ ନୀଳାମ୍ୱର

ଶୁଭ୍ର ଅଭ୍ରମାଳା ତୋ କରେ ଭାସ୍ୱର,

ହିମ ପାରାବାର ଭରସେ ବିଶାଳ

ହିମଶଳାସ୍ତୂପ ଭାସେ କି କରାଳ,

ନାବିକ ହୃଦେ ଯା ଜନମାଏ ତ୍ରାସ,

ଏ ତ ଜନମାଏ ହୃଦେ ମହୋଲ୍ଲାସ,

ପରଶି ତୋ ରମ୍ୟ କର

ତୁ କି ଶୋଭାସୃଷ୍ଟିସାର ସୁଧାକର

ସୁଧାମୟ କଳେବର ।

 

(୨)

କି ସୁନ୍ଦର ତନୁ କି ରୂପ ମୋହନ !

ଯୁବକ ଭାବୁକ କବି ବିନୋଦନ

ଜିବନ୍ତ ଭାବୁକ କବି ବିନୋଦନ

ଜୀବନ୍ତ କବିତା, ଜୀବନ୍ତ ସଙ୍ଗୀତ,

ଅବା ଭାବମୟ ରାଗ ସୁରଳିତ

ବିଶ୍ୱବିମୋହନ, ବିମଳ, ଧବଳ,

ଆକାଶ-ମାନସେ ପ୍ରଫୁଲ୍ଲ କମଳ

କି ରତନେ ଗଢ଼ା ଦେହ ।

ରଜତ, ଲବଣୀ ଚୂର୍ଣ୍ଣ ନୋହୁ ତୁହି,

ସବୁଟା କେବଳ ସ୍ନେହ ।

 

(୩)

ଅବା ତୁ କି ସୁଧା, ଶୋଭା ଅନୁପମ,

ତୁ କି ମଧୁରତା, କରୁଣା ଜୀବନ,

ତୁ କାହା ହୃଦର ପ୍ରେମ କୋମଳତା,

ତୁ କେଉଁ ଅନ୍ତର ଭାବ-ବ୍ୟାକୁଳତା,

ତୁ କାହା ଲୋଚନ ପ୍ରଶାନ୍ତ ଚାହାଣୀ,

ତୁ କେଉଁ ସୁଦୂର ରାଜ୍ୟର କାହାଣୀ.

ଅନ୍ଧାର ଆଲୋକ ହସୁ,

ସୁପ୍ତ ଚରାଚର ନୀରସ ସଂସାର

ତହିଁ କିପାଁ ଆସି ପଶୁ ।

 

(୪)

ମୁଁ କହେଁ ସଂସାର କଠୋର ନିର୍ମମ,

ବିରାଟ ଛଳନା ମାୟାର ବନ୍ଧନ,

ଭାବେଁ ମୁ ସଂସାର କଠିନ ଶୃଙ୍ଖଳ ।

ଭାଙ୍ଗିବାକୁ ନାହିଁ ମାନବର ବଳ,

ଘୋର ଅତ୍ୟାଚାରପୂରିତ ଏ କାରା,

ଏଥି ନାହିଁ କାହା ହୃଦେ ସ୍ନେହଧାରା,

ନୀରସ ଭୀଷଣ ମରୁ,

ଏ ଭବ-କଷଣୁଁ ପାରି କେ ପାଇବ

ନ ସହି ଏ ଦୁଃଖ ଗରୁ ।

 

(୫)

ତେବେ କିପାଁ ଚାନ୍ଦ, ଏ ଜ୍ୟୋସ୍ନା-ରଜନୀ

ହସଇ ନୀରବେ ଉଲ୍ଲାସି ଅବନୀ,

ପଲକେ ପଲକେ ପୁଲକ ସ୍ପନ୍ଦନ

ଛୁଇଁ ଫୁଲେ ଫୁଲେ କରେ ଆଲିଙ୍ଗନ,

ପତରେ ପତରେ ଚୁମ୍ୱେ ଧୀରେ ଧୀରେ,

କାନ୍ଦଇ ନୀରବେ ଲୋତକ-ଶିଶିରେ

ଏତେ ଶୋଭା କାହାପାଇଁ ।

ନିଦ୍ରାଥଚେତନ ସ୍ଥାବର ଜଙ୍ଗମ

କେହି ତ ନିରେଖେ ନାହିଁ ।

 

(୬)

ସୁପ୍ତ ମାଳ ମାଳ ଦରିଦ୍ର କୁଟୀର,

ନିଶ୍ଚଳେ ସୁତୁଙ୍ଗ ସୌଥ ତୋଳେ ଶିର,

ବିରାଟ, ବିଶାଳ, ଗମ୍ଭୀର ମହାନ,

ଦିଗନ୍ତେ ପ୍ରଶାନ୍ତ ସୋମ ଜ୍ୟୋତିଷ୍ମାନ,

ଅନନ୍ତ, ଅପାର, ନୀଳିମା-ରଞ୍ଜିତ,

ଅନମ୍ୱର ତଳେ ତାରକା ଖଚିତ;

ଶବ୍ଦଶୂନ୍ୟ ମହୀ, ନୀରବ, ନିର୍ଜନ,

କ୍ଷଣେ ଅବା ଦୁରୁଁ ଶୁଭେ ଝିଲ୍ଲିସ୍ୱନ,

ନିଶା ଶୁଭେ ସାଇଁ ସାଇଁ,

ଦୂର ବୃକ୍ଷଡ଼ାଳେ ପକ୍ଷ ନିଦ୍ରାଳସେ

ଝାଡ଼େ ବା ବିହଙ୍ଗ କାହିଁ ।

 

(୭)

ଅଚେତନ ହିଆ ବହି ନିଦ୍ରାଭାର,

ସ୍ୱପନେ ମଗନ ସମଗ୍ର ସଂସାର,

ତେଜି ଆତ୍ମା କ୍ଷଣେ ଜଡ଼ର ବନ୍ଧନ

ଭୁବଲୋକେ ସୁଖେ କରେ ବିଚରଣ,

ଗତ ଶତ ସଖା ସହଚର ସଙ୍ଗେ

ବିହରେ ତାପିତ ଆତ୍ମା ଅବା ରଙ୍ଗେ,

କାତର ଭୟେ ବା ଅତି

ଶତ ପାପ-କ୍ରୁର- ବିଭୀଷିକା ନେତ୍ରେ

ଦେଖି କା ପିଶାଚ-ମତି ।

 

(୮)

ଏ କାଳେ ତୁ ଚାନ୍ଦ, ମେଘ ଅନ୍ତରାଳୁଁ

କି ଅମୃତ-ସ୍ନେହ ଧରା ପରେ ଢାଳୁ,

ଚାନ୍ଦିନୀବୋଳା ତୋ ବିମଳ ଅଧର

ପରଶେ କି କ୍ଷଣେ ଧରା କଳେବର,

ଉଲ୍ଲସି ଉଠଇ ସ୍ୱେଦ ଅପଘନେ,

ଶୀତଳ ଶିଶିର-ଅସାର ଲୋଚନେ,

ଫୁଟେ ଧୀରେ ଫୁଲପନ୍ତି,

ଫୁଲ ନୁହେଁ ସେ ତ ପ୍ରେମର ଲାବଣ୍ୟ

ପବିତ୍ର ମଧୁର ଅତି ।

 

(୯)

ପତ୍ର ଅନ୍ତରାଳେ ଲୁଚାଇ ଆନନ

ସରମେ ବିକଶେ କାମିନୀ ସୁମନ,

ଚୁମ୍ୱ ଦେଇ ଯେବେ କିଶଳୟ ଗଣ୍ଡେ

ଅଟକି ରହଇ ଚନ୍ଦ୍ରକର ଦଣ୍ଡେ,

ଧୀରେ ଧୀରେ ତୋତେ ଚାହିଁଦିଏ ପରା

ଲଭି ତୋ ଚାନ୍ଦିନୀ ଆଦର ପସରା,

କିଏ ତା ନିରେଖୁଥାଏ,

ଚୋରାଇ ସୁବାସ ସମୀରଣ ଯେବେ

ଚଉଦିଗେ ବହିଯାଏ ।

 

(୧୦)

ଫୁଲସଞ୍ଜବେଳେ ଫୁଟେ ମଲ୍ଲୀଫୁଲ,

ଢଳ ଢଳ ହିଆ ପ୍ରେମରେ ଆକୁଳ,

ନୀରବତ ତେବେ ଭ୍ରମର ଗୁଞ୍ଜନ,

ନୀରବ ତ ତେବେ କୋକିଳ-ପଞ୍ଚମ,

ଶୁକସାରୀ ତେବେ ନ ଶୁଣନ୍ତି ବାଣୀ,

କୋମଳ ମଲ୍ଲିକା ଲଳିତ ଚାହାଣୀ

କେ ନିରେଖେ କହ ତୋ ବିନାରେ ଇନ୍ଦୁ,

ଝରେ ଯେବେ ତାର ନେତ୍ରୁ ହିମବିନ୍ଦୁ,

ଚିକ୍‌କଣ ପତର କୋଳେ

ରଜନୀ ପବନ ଶୀତ ପରଶେ କି

ଦେହଟି ମୃଦୁଳେ ଦୋଳେ ?

 

(୧୧)

ଧୀରେ ଯେବେ ଘୋଟି ଆସଇ ଅନ୍ଧାର,

ପୁଲକେ ଫିଟଇ ରଜନୀଗନ୍ଧାର

ଶ୍ୱେତ ପୂତଦଳ ବିସ୍ତାରି ସୌରଭ

ଅନ୍ଧାରେ କି କହ ପ୍ରେମର ଗୌରବ,

‘ନିଶାରାଣୀ’ ତେଣୁ ଢାଳଇ ହୃଦୟ

ପ୍ରିୟ ପଦତଳେ ଆକୁଳ ଅଥୟ,

ବିତରେ ଯୂଥିକା ଦାସ

ଦର ଦର ଫୁଟା ଗୋଲାପକଢ଼ିର

ହୃଦୁଁ କି ଉଚ୍ଛୁଳେ ହାସ ।

 

(୧୨)

ଫୁଟେ ଯେବେ କ୍ଷୁଦ୍ର ଶେଫାଳୀ-ସୁମନ

କେ ଅରପେ ତାକୁ ଆଦର ଚୁମ୍ୱନ,

ଅପୂର୍ବ-ସୌରଭ-ହୃଦ-ଭରା ପ୍ରେମ

ସରି କି ରେ ତହିଁ ସଙ୍ଗେ ହୀରା ହେମ,

ସ୍ଫଟିକ-ଧବଳ ଦଳରାଜି ତା’ର

ମେଲାଇ କା ପାଦେ ଅର୍ପେ ଉପହାର,

ଦେଖେ କି ନୟନ କେବେ,

ଆକୁଳ ସ୍ପନ୍ଦନେ କ୍ଷୁଦ୍ର ଜହ୍ନିଫୁଲ

ହୃଦ କମ୍ପିଉଠେ ଯେବେ ।

 

(୧୩)

କ୍ଷଣକେ ମେଲାଇ କୁମୁଦ ଲୋଚନ

ମୁଦେ କି ସହସା ଲଭି ତୋ ଦର୍ଶନ,

ମୁଦେ କି ସମୀର ସ୍ପର୍ଶି ନୀଳ ଜଳ

ତରଙ୍ଗଚଞ୍ଚଳ ସ୍ନେହେ କଳକଳ,

ଢଳ ଢଳ ଦଳ ଶ୍ୟାମଳ ଅଞ୍ଚଳେ

ଲୁଚି ଲୁଚି ଯାଏ କୁମୁଦିନୀ ଭୋଳେ

କଉମୁଦୀସ୍ନାତ ନୀରେ,

ଝରି ଝରି ପଡ଼େ ନୀହାରକଣିକା

ନୟନପଲ୍ଲବୁଁ ଧୀରେ ।

 

(୧୪)

କି ସୁନ୍ଦର ଶୋଭା ଧରିଛି ତଡ଼ାଗ,

ନୀଳରାଗ ସଙ୍ଗେ ମିଶି ଶ୍ୱେତରାଗ

ନାଚେ କି ତୋ ଛବି ନୀରଦରପଣେ,

ନାଚେ କି ତୋ ରୂପ କୁମୁଦ ନୟନେ,

ଠାବେ ଠାବେ ତାରା-ବିମ୍ୱ ଜଳପରେ

ହଲି ହଲି ନିଭିଯାଏ କ୍ଷଣକରେ,

ସମୀର ସଞ୍ଚାଳେ ଏକଚନ୍ଦ୍ର ତୋର

ଶତ ଶତ ବିମ୍ୱ ଫୁଟେ ମନୋହର,

ଏକଚନ୍ଦ୍ର ଆହା ଆକାଶେ ଉଜ୍ୱଳ,

କୋଟି କୋଟି ଚନ୍ଦ୍ର ସରୋବର ଜଳ

ହୃଦାକାଶେ ଭାସେ ପରା,

ପ୍ରେମିକ ଯେ ଯାର ସେ କି ତାହା ତୁଲେ

କୋଟିରୂପେ ଦିଏ ଧରା !

 

(୧୫)

କୋଟିରୂପେ ସତେ ସ୍ୱରୂପ ମୋହନ

ବିକାଶନ୍ତି ବିଭୁ କରୁଣା-ସଦନ,

ତାରାଲୋକେ କ୍ଷଣେ, କ୍ଷଣେ ଫୁଲହାସେ

ବିମଳ ବଦନ ହାସ ପରକାଶେ,

ଅବା ପରକାଶେ କ୍ଷଣପ୍ରଭା ସମ

ଝଟକାଇ ହୃଦ-ଘନ-ଦୁଃଖ-ଘନ,

ଭକ୍ତ ମନେ ଆଶା ବିଶ୍ୱାସ ପରମ

ଶାନ୍ତି ହର୍ଷ-ସୁଖ କରେ ଆନୟନ

ମଧୁର ଚାନ୍ଦିନୀ ସରି,

ଉଦି ବା ହୃଦୟ-ଅମ୍ୱରେ ନାଶନ୍ତି

ଭକ୍ତ-ଦୁଃଖ- ଶରବରୀ ।

 

(୧୬)

କୋଟିରୂପେ ତେଣୁ ସଜାଇ ସଂଚାର

କୋଟି କୋଟି ମନେ କରିଣ ବିହାର

ନିଜ ରୂପଭୋଳେ ନିଜେ କି ମଗନ

ପ୍ରଭୁ ସ୍ୱପ୍ରକାଶ ଭକ୍ତବିନୋଦନ,

ମାନବ ଆତ୍ମାରେ ସ୍ୱରୂପ ବିକାଶ

ନିରେଖି ଲଭନ୍ତି ଅପାର ଉଲ୍ଲାସ,

ତେଣୁ ଆରେ ଶଶଧର,

ସେ ଲଳିତ-ଶୋଭା-ଅମୃତେ ତୋ ତନୁ

ଏଡ଼େ ସ୍ନିଗ୍‌ଧ ମନୋହର ।

 

(୧୭)

ଗଗନ-ବିହାରୀ ଧ୍ୱନ୍ତ-ବିନାଶନ,

ଶୁଭ୍ରକାନ୍ତି ବିଭାବରୀ-ବିଭୂଷଣ,

ମଧ୍ୟମଣି ପ୍ରାୟ ଚାରୁ ହୀରାହାରେ,

ଶୁଭ୍ରାସନେ ଗୁରୁ ସମ ପାଠାଗାରେ,

ଶୋଭିତ ଚୌଦିଗେ ନକ୍ଷତ୍ରନିକର,

ନୃପ ନକ୍ଷତ୍ରେଣ ! ରାଜୁ ତୁ ମଧ୍ୟର;

ଶତ ଶତ ତାରା ହରେ କି ଅନ୍ଧାର

ଏକ ଚନ୍ଦ୍ରେ ମାତ୍ର ଉଜ୍ୱଳ ସଂସାର,

ଏକ ପଦ୍ମେ ଶୋଭେ ସର,

କୋଟି କୋଟି କଇଁ ଫୁଟିଥିଲେ କାହିଁ

ହେବ ତୋ ସମ ସୁନ୍ଦର ।

 

(୧୮)

ତାରାପନ୍ତି ଅବା ସଦ୍‌ଗୁଣନିଚୟ,

ଚନ୍ଦ୍ର ତୁହି ତହିଁ ପ୍ରେମ ସୁଧାମୟ,

ଶତ ଗୁଣ ଥିଲେ ହୃଦୟ ମଧ୍ୟର

ପ୍ରେମ ବିନା ସେ ତ ନୀରସ ପ୍ରାନ୍ତର,

ମରୁଭୂମି ଘୋର ଅବା ଅମାରାତି,

ସୌରଭବିହୀନ ଫୁଲ ବର୍ଣ୍ଣ ଭାତି,

ରଙ୍ଗୋଜ୍ଜ୍ୱଳ ଇନ୍ଦ୍ରଧନୁ,

ମୁର୍ଖ ଗୁଣହୀନ, ଦିବ୍ୟ ପଟ୍ଟବାସ-

ଆବୃତ ରୁଚିର ତନୁ ।

 

(୧୯)

ପ୍ରେମ ବିନା ସତ୍ୟ-ପ୍ରତିଷ୍ଠା କାହିଁରେ,

ସ୍ୱରଗରାଜ୍ୟ କି ସମ୍ଭବେ ମହୀରେ,

ପ୍ରେମ ବିନା କେଉଁ ଆକର୍ଷଣବଳେ

ଆଣିବ ହେ ଟାଣି ଭକତବତ୍ସଳେ,

ପ୍ରେମ ବିନା କହ କେଉଁ ରତ୍ନ ଆନ

ଲଭି ଯା ମାନବ ଆତ୍ମା ମହୀୟାନ,

କି ଦାସତ୍ୱ ପ୍ରେମ ବିନା

ଏଡ଼େ ସୁମଧୁର କହ ଶଶି, କେଉଁ

ମୂଲ୍ୟେ ଆତ୍ମା ହୁଏ କିଣା !

 

(୨୦)

ପ୍ରେମଦଳ ବିନା କେ ଜିଣେ ସଂସାର,

ପ୍ରେମ ବିନା ଧର୍ମ ନିଷ୍ଫଳ ଅସାର,

ହରିପ୍ରେମେ ମତ୍ତ ନିମାଇ ନିତାଇ

ବ୍ରାହ୍ମଣ ଚଣ୍ଡାଳେ କଲେ ଭାଇ ଭାଇ,

ଦୁର୍ବୃତ୍ତ ଦସ୍ୟୁଙ୍କୁ କିଣି ପ୍ରେମବଳେ

ପ୍ରହାରେ ଜର୍ଜର, ଆଲିଙ୍ଗିଲେ କୋଳେ,

ପ୍ରେମନାମ ସଂକୀର୍ତ୍ତନେ

ନିଖିଳ ଭାରତେ ପ୍ରେମବନ୍ୟା ସତେ

ବହାଇଲେ ଶୁଭକ୍ଷଣେ ।

 

(୨୧)

ଜନମିଥିଲା ଯେ ଶିଶୁ ବେଥଲିମ

କ୍ଷୁଦ୍ର ମେଷଶାଳେ, ଅଗଣିତ ହୀନ,

ସୂତ୍ରଧର ପୁତ୍ର, କ୍ଷୁଦ୍ର ନାଜରିତ

ବାସସ୍ଥାନ ଯାର, ଭୁବନେ ବିଦିତ

ସେ ପୁଣି ଜିଣିଲେ କେଉଁବଳେ କହ

ଦର୍ପୀ ରୋମରାଜ୍ୟ ନୃପ ଭୟାବହ,

ଲୌହଦଣ୍ଡେ ଯେହୁ ସ୍ରାବି ରକ୍ତଧାର

ଅଗଣିତ ରାଜ୍ୟ କଲା ଛାରଖାର,

କେଉଁ ବଳେ ବାନ୍ଧି ହିଆ

ଭୀମ ରଣସ୍ଥଳେ କୁମାରୀ ଫ୍ଳୁରେନ୍‌ସ

ସେବାବ୍ରତେ ହେଲେ ଠିଆ ।

 

(୨୨)

ଆଫ୍ରିକା-ପ୍ରାନ୍ତରେ ସଦ୍ୟ ମାଂସଭୋଜୀ

କାଫ୍ରି କୁଟୀରକୁ ଗଲେ ସର୍ବ ତେଜି

କେତେ ଧର୍ମମତି ନରନାରୀଚୟ

ନ ରଖିଣ ଠୁଳେ ଜୀବନର ଭୟ,

ସାଧୁ ଫର୍ଡ଼ିନାଣ୍ଡ ତେଜି ପ୍ରାଣମାୟା

ନିରତେ ସେବିଲେ କେତେ କୁଷ୍ଠକାୟା,

ଅବକେଷେ ଭୋଗି ସେ ରୋଗଯନ୍ତ୍ରଣା

ପ୍ରେମର ମହତ୍ତ୍ୱ କରିଲେ ଘୋଷଣା,

ନୀରବ ଜୀବନେ କେତେ

ନିତି ନିତି ଶତ ସ୍ୱାର୍ଥ-ବଳିଦାନ

ଲେଖି କେ ରଖିଛି ଏତେ ।

 

(୨୩)

ନିଶା ଅର୍ଦ୍ଧଯାମେ ତେଜି ନିକେତନ

କେଉଁ ମହାପ୍ରାଣ କଲେ ପଳାୟନ

ଭୀମ-ଭବ-ତାପ-ମୁକତି ମାନସେ

ଅହରବ ଚିନ୍ତି ଭିକ୍ଷୁକର ବେଶେ

କଠୋର ତପସ୍ୟା ଆଚରି ଅଦ୍ଭୁତ

ଜ୍ଞାନରତ୍ନ ଲଭି ହେଲେ ହର୍ଷପୁତ

ବୋଧି ମହାଦ୍ରୁମ ତଳେ,

ଆକାଶେ ଉଇଁ କି ଦେଖିଅଛୁ ତାଙ୍କୁ

କେତେ ଥରେ କୁତୂହଳେ ?

 

(୨୪)

ନରରକ୍ତପାୟୀ ବର୍ବର ଆରବେ

କେ ଜିଣିଲା କହ ପ୍ରେମର ଆହବେ,

ଜାଣୁ କିରେ ଚାନ୍ଦ, ଚୋର ରତ୍ନାକର

ହେଲା କିପରି ସେ ମହର୍ଷି-ପ୍ରବର,

କି କାରଣେ ପ୍ରଜା-ରଞ୍ଜନ ଶ୍ରୀରାମ

ତେଜିଲେ ଜାନକୀ ରମଣୀ ଲଲାମ,

ଏତେ ସ୍ୱାର୍ଥତ୍ୟାଗ ମାନବର ବିନା

କେ ପାରିଛି କରି ଜାଣୁ ତୁହି ସିନା,

ତୁ ଦେଖିଛୁ ସ୍ନେହନୀର,

ଶତ ଶତ ସତୀ-ପବିତ୍ର-ନୟନେ

ପତରେ ଯଥା ଶିଶିର ।

 

(୨୫)

ତୁ ଦେଖିଛୁ ଚାନ୍ଦ, ସ୍ୱରୂପ ତୋହର

ନଦୀ-ନୀଳ-ନୀର-ବେଣୀରେ ସୁନ୍ଦର

ଘନ ନୀଳ କେଶେ ଅବା ଚମ୍ପା ଫୁଲ,

ତାରାଦଳ ତହିଁ, ତୁ ମଲ୍ଲୀ ମଞ୍ଜୁଳ,

ଅବା ତାରା-ଶଶି-ହାର ମନୋରମ

ପିନ୍ଧି କଲ୍ଲୋଳିନୀ କରେ କଳସ୍ୱନ,

ତରଙ୍ଗିତ ଜଳ ଫେନିଳ, ଚଞ୍ଚଳ,

ଆବର୍ତ୍ତେ ଘୂର୍ଣ୍ଣିତ ପ୍ରେମେ ଛଳଛଳ

ହୃଦସ୍ପନ୍ଦନ ମୁଁ ମଣେ,

ନଦୀର ହୃଦୟ ରହି ରହି ସତେ

ଉଠେ ପଡ଼େ କ୍ଷଣେ କ୍ଷଣେ ।

 

(୨୬)

ଉଠେ ପଡ଼େ ଯଥା ଦୁଃଖିନୀ ଅନ୍ତର

ପତିହୀନା-ବାଳା ବୈଧବ୍ୟେ କାତର,

ସମଗ୍ର ସଂସାରେ କହିବାକୁ ‘ଆହା’

ଦୁଃଖରେ ତାହାର କେହି ନାହିଁ ସାହା

ନିଜ ମନେ ଦୁଃଖ ମାରି ଅନୁକ୍ଷଣ

ପରହିତ ବ୍ରତେ ସମର୍ପେ ଜୀବନ,

ଯାର ମୁଖ ଦରଶନ

ଶୁଭ କାର୍ଯ୍ୟ କାନେ ମଣନ୍ତି ଅଶୁଭ

ତାହାରି ଆତ୍ମୀୟ ଜନ ।

 

(୨୭)

କିବା ଏ ସଂସାର କେ ଆସେ କେ ଯାଏ

ଜୀବନ ତ ଜଳ-ବୁଦ୍‌ବୁଦ ପରାଏ,

ଓଜନ ଉଶ୍ୱାସ ନ ଜାଣେ ଧରଣୀ,

ତେବେ କିପାଁ କହ ବିଧାତା ରମଣୀ

ଯହିଁ ନାହିଁ ତାର ତିଳେ ଅପରାଧ

ତା ଲାଗି ସତତ ଲଭେ ପରମାଦ,

କେ ବୁଝେ ବେଦନା ତାର,

ତା ପୂଣ୍ୟ ସମ୍ପଦେ ଭାରତର ନର

କରୁଥାଏ ଅହଙ୍କାର ।

 

(୨୮)

ଏପରି ତ ଚାନ୍ଦ, ଏ ଜଗତ ଖେଳ,

କିଏ ବା ଆଦରେ ସୁନା ଫିଙ୍ଗି ଭେଲ,

ମୁକୁତା ଛାଡ଼ି କେ କାଇଁଚକୁ ରସେ,

ହୀରା ଫିଙ୍ଗି କେହୁ କାଚ ପିନ୍ଧିବସେ,

ମଣିଭ୍ରମେ କେହୁ ଗୋଟାଏ ପାଷାଣ,

ପୁଣ୍ୟଭ୍ରମେ ପାପେ କେ ମଜ୍ଜାଏ ପ୍ରାଣ,

ହୁଡ଼ି ସତ୍ୟ ନ୍ୟାୟ ପଥ

ଧର୍ମ ଧର୍ମ କହି ଅଧର୍ମରେ ଚିତ୍ତ

ବୁଡ଼େ କା’ର ଅବିରତ ।

 

(୨୯)

ତହିଁରେ ତ ଚାନ୍ଦ, ନାହିଁ ତୋ ଭ୍ରୁକ୍ଷେପ,

ଦୁଃଖେ ସୁଖେ କା’ର ନାହିଁ ତୋ ଆକ୍ଷେପ,

ନିତି ନିତି ଉଇଁ ବିମାନ ବିତାନେ

କରିଯାଉ ନିଜ କାର୍ଯ୍ୟ ଏକଧ୍ୟାନେ,

ପାପୀ, ତାପୀ, ଦୁଃଖୀ, ଧାର୍ମିକ, ଦୁଃଶୀଳ

ସରବେ ଅରପୁ ଜ୍ୟୋସ୍ନା ଅନାବିଳ,

ଏପରି ହୁଅନ୍ତି ଆହା,

ଆନ କଥା କିଛି ନ ପକାଇ କାନେ

ଧରନ୍ତି କର୍ତ୍ତବ୍ୟ ରାହା ।

 

(୩୦)

ତୁ କି ଚାନ୍ଦ, ରସୁ କେବଳ ସୁମନେ,

ଦେଖୁ ତୋ ସ୍ୱରୂପ ସର-ଦରପଣେ,

ଭୀମ ସ୍ଥଳେ ତୋର ନାହିଁ କି ପ୍ରକାଶ,

ଶ୍ମଶାନର ବିଭୀଷିକାରେ ବିକାଶ

ନ କରୁ କି ତୋର କୌମୁଦୀ କୋମଳ,

ଧକ ଧକ ଯହିଁ ଜଳେ ଚିତାନଳ,

ମାନବ ଅସ୍ତିତ୍ୱ ପୋଛେ ଯହିଁ କାଳ,

ଗଡ଼େ ଯହିଁ ଅସ୍ଥି ପିଞ୍ଜରା କଙ୍କାଳ,

ବୁଲନ୍ତି ବିକଟ ନାଦେ

ଶକୁନି, ଗୃଧିନୀ, ଶିବା, ସାରମେୟ

ଭକ୍ଷି ଶବ ମହାହ୍ଲାଦେ ।

 

(୩୧)

ଜ୍ୟୋସ୍ନାସ୍ନାତ ନୀଳ ଅଙ୍ଗ ଭୟଙ୍କର

ପୂର୍ଣ୍ଣିମା ନିଶାରେ ଉନ୍ମାଦ ସାଗର,

ଗର୍ଜି ମହାନାଦେ ତରଙ୍ଗ ପ୍ରହାରି

ଫେନପୁଞ୍ଜ ଭୀମ ବଦନେ ଉଦ୍‌ଗାରି,

ମହାଉର୍ମିବାହୁ ବିସ୍ତାରି ଜଳଧି

ଉର୍ଦ୍ଧ୍ୱେ ଉଠି ପରା ଧରେ କଳାନିଧି,

କି ବିଶାଳ ବ୍ୟାକୁଳତା,

ରହି ନ ପାରୁ କି ଅନୁଭବି ପ୍ରାଣେ,

ନୀରେ ତା ମିଶାଇ ସତ୍ତା ।

 

(୩୨)

ଯେତେ ଦୂରେ ପ୍ରଭୁ ଥାଆନ୍ତୁ ମୋହର

ଉଲ୍ଲସି ଉଠିବ ହୃଦୟ-ସାଗର,

ବିପୁଳ ବିଶାଳ ପ୍ରେମ ବ୍ୟାକୁଳତା

ନ ମାନିବ ବାଧା, ନ ଶୁଣିବ କଥା,

ଆପେ ସେ ଧାଇଁବ ଉଚ୍ଛ୍ୱସି ହୃଦୟ,

କାହିଁ ତାର ସଖା, କାହିଁ ପ୍ରେମମୟ,

ଆପେ ସେ ଖୋଜିବ ନିତି,

ଯେତେ ଲୁଚି ରହନ୍ତୁ ଗୋପନେ ।

କେବେ ନ ଆସନ୍ତୁ କତି ।

 

(୩୩)

ଚକୋରେ ପରା ତୁ ପ୍ରଦାନୁ ଜୀବନ

ସୁଧାମୟ ବିଭୁ କରୁଣା ଯେସନ,

ବଞ୍ଚେ କି ଅଶନେ ମାନବ କେବଳ,

ବିଭୁପ୍ରେମ ବିନା ଆତ୍ମା ତ ବିକଳ,

ବିନା ସେ ଆହାର, ନୀର,

ମେଘ-ଜଳ-ଆଶୀ ଚାତକ ପରାଏ

ଆତ୍ମା ମୋ ନିତି ଅଧୀର ।

 

(୩୪)

ତୋ ମଧୁର କରେ ଚିତ୍ତ ପୁଲକିତ,

ଶୋକଦଗ୍‌ଧ ତୋତେ ଦେଖି ହରଷିତ,

ପ୍ରଫୁଲ୍ଲ ବାଳକ ହେରି ତୋ ବଦନ

କରତାଳି ଦେଇ ନାଚେ ହୃଷ୍ଟମନ,

ଶଶାଙ୍କ ତୁ କ୍ଷୁଦ୍ର ଶିଶୁଚିତ୍ତହାରୀ,

ମାତାକୁ ତୋ କଥା ହୁଏ ସେ ପଚାରି

‘ଆରେ ଜହ୍ନମାମୁଁ ଡାକ,

ଶିଶୁ ବଦନରୁ ଶୁଣି ଶୁଣିଥିବ କେତେ

ଚନ୍ଦ୍ର ଚିତ୍ତପ୍ରହ୍ଲାଦକ ।

 

(୩୫)

ପର୍ବଶର୍ବୀରଶ ! ତୋର ଦରଶନେ

ମଗନ ମାନବ ଉତ୍ସବ ପାର୍ବଣେ,

ମନାସିଣ କେତେ ଉପବାସ ବ୍ରତ,

ନାରୀଏ ହୁଅନ୍ତି ଧର୍ମକାର୍ଯ୍ୟେ ରତ,

ତୋ ତିଥି ଗଣନା କରି ପାଞ୍ଜିକାର

ଭବିଷ୍ୟତ ତଥ୍ୟ କରଇ ପ୍ରଚାର,

ଲେଖଇ ସାଦରେ କବି

ଉପମା କାରଣ ଅପୂର୍ବ ସୁନ୍ଦର

ବିମଳ ବଦନଛବି

 

(୩୬)

ଏଡ଼େ ତୁ ସୁନ୍ଦର ଆରେ କଳାକାର,

କଳଙ୍କର ଗାରେ କିପାଁ କଳେବର

ଅଙ୍କିତ ତୋହର, ଅକଳଙ୍କ ଜନ

ଦୁର୍ଲଭ ଧରାରେ କହୁ କି ସୁମନ,

କ୍ଷୟର ଅଧୀନ ହୋଇ ଶଶଧର

ଶିଖାଉ କି ଭବ ବିଭବ ନଶ୍ୱର,

ଲୁଚି ଅମାରଜନୀରେ

ପ୍ରଚାରୁ କି ନରେ-ଅମର କେହି ତ

ଜନମିନାହିଁ ମହୀରେ ।

 

(୩୭)

ନିଜଲୋକେ ଅବ୍‌ଜ, ନୋହୁ ଜ୍ୟୋତିଷ୍ମାନ,

ସୂର୍ଯ୍ୟାଲୋକ ଦୀପ୍ତ, ଭାଷଇ ବିଜ୍ଞାନ,

କି ପ୍ରଖର ରଶ୍ମି ମରୀଚିକାମାଳୀର,

କେତେ ସ୍ନିଗ୍‌ଧ କାନ୍ତି ଧରେ ତୋ ଶରୀର,

ଦୁର୍ନିରୀକ୍ଷ ରବି ପ୍ରଚଣ୍ଡ ପ୍ରତାପ,

ତା କର ଲଭି ତୁ ହରୁ ଚିତ୍ତତାପ,

ହିମାଂଶୁ ନାମ ତୋ ସାର୍ଥକ ସୁନ୍ଦର,

ହିମ-ବିନ୍ଦୁ-ରାଶି ସିଞ୍ଚୁ ନିରନ୍ତର,

କି ଶୀତଳ ରମଣୀୟ,

ସାରା ନିଶି ତୋତେ ରହିଥିଲେ ଚାହିଁ

କ୍ଳାନ୍ତ ନୁହେଁ ନେତ୍ରଦ୍ୱୟ ।

 

(୩୮)

ତୋତେ ବେଶି ଉଦେ ହୃଦୟେ ଆହ୍ଲାଦ,

ହରେ ଶତ ଶାନ୍ତି ବିକାର ବିଷାଦ,

କେତେ ଚିତ୍ତବ୍ୟଥା ଗୋପନେ ତୋ କାନେ

କହିଥାଏଁ, କେତେ ଗୀତ ଦୁଃଖତାନେ

ଗାଇଥାଏଁ, ମୁହିଁ ଢାଳି ନେତ୍ରବିନ୍ଦୁ,

କେ ଦେଖିଛି ତାହା ତୋ ବିନା ରେ ଇନ୍ଦୁ,

ପରାଣବନ୍ଧୁ କି ମୋର,

ଦଣ୍ଡକ ତୋ ସଙ୍ଗେ ଆଳାପେ ମୋହର

ଦୂର କେତେ ଦୁଃଖ ଘୋର ।

 

(୩୯)

ଅର୍ଦ୍ଧନିମୀଳିତ ଅଳସ ଲୋଚନ

ତୋ ମୋହନ ଶୋଭା କରି ବିଲୋକନ,

ଜକ ଜକ କରପତ୍ର ଅନ୍ତରାଳେ

ଦାମିନୀ ନାଚେ କି ମେଘ ଆଢ଼ୁଆଳେ,

ଝଲମଲ ଅବା ତରଳ ରଜତ-

ସ୍ରୋତ ଚଉଦିଗେ ବହେ ଅବିରତ,

କି ଶୁଭ୍ର, କି କମନୀୟ !

ପ୍ରଫୁଲ୍ଲ ପ୍ରସୂନ-ବଦନେ ଚାନ୍ଦିନୀ

ଶୋଭା ସେ କି ମହନୀୟ ।

 

(୪୦)

ମେଘ ସ୍ତରେ ସ୍ତରେ ବୁଲୁ ଭାସି ଭାସି,

ଅନାଇଥାଏଁ ମୁଁ କି ଭାବେ ଉଲ୍ଲସି,

ଦେହେ ତେବେ ମୋର ନ ଥାଏ କି ପ୍ରାଣ,

ସତେ ଉର୍ଦ୍ଧ୍ୱ-ଲୋକେ କରେ ସେ ପ୍ରୟାଣ,

ଏକଧ୍ୟାନେ ଚାହିଁ ଭାବେଁ କାହା କଥା

କା’ ଲାଗି ଅନ୍ତରେ ଘୋର ଆକୁଳତା,

କା’ ଲାଗି ମୋର ଏ ପ୍ରେମ,

ରେ ଚାନ୍ଦ, ତୋହର ଚାନ୍ଦିନୀ ସମ ତା,

ସରି ନୁହେଁ ତହିଁ ହେମ ।

 

(୪୧)

କହରେ କିଏ ସେ ପରମ ସୁନ୍ଦର,

ପ୍ରେମାମୃତ ଉତ୍ସ କାହା ଶ୍ରୀପୟର,

ଏବେ ଶୋଭା ବିଶ୍ୱେ କେ ନିହିଛି କହ,

କହ କେ ସଜାଏ ଫୁଲମାଳେ ଦହ,

କେ ପିନ୍ଧାଏ ଫୁଲଭୁଷା ତରୁଡାଳେ,

କେ ଫୁଟାଏ ଚାନ୍ଦ ଶୋଭା ନଭୋଭାଲେ,

କରୁଣା-ଶିଶିରେ କାନ୍ଦେ କା ନୟନ,

ତା ପାଶେ ଯିବାକୁ କାହିଁ ରେ ଅୟନ,

କିଏସେ ମୋର କହ,

ଲୁଚି ରହି କିପାଁ ଯାତନା ହୃଦୟେ

ବଢ଼ାଏ ସେ ଅହରହ ।

 

(୪୨)

ତା ପରି ନିଷ୍ଠୁର ଦେଖିନାହିଁ କାହିଁ,

ତା ପ୍ରେମ ସମାନେ ପ୍ରେମ ପାଇନାହିଁ,

ତା ପରି କାନ୍ଦେ କେ ଦୁଃଖରେ ମୋହର,

ତାପରି ଦୁଃଖ କେ ଦିଏ ନିରନ୍ତର,

ନା ପରି ପୋଛେ କେ ନୟନ ଆସାର,

ତା ପରି ନିର୍ମମ କରେ କେ ପ୍ରହାର

ଜରଜରି କଳେବର,

କ୍ଷଣେ ଆସେ କ୍ଷଣେ ପଳାଇଯାଏ ସେ,

ଆଖି ଝରେ ଦରଦର ।

 

(୪୩)

କେ କହୁ ଜଗତେ ମୁଁ ହୀନ ଘୃଣିତ,

ଅବା ଦେୟ ତୁଚ୍ଛ, ଲୋକେ ଅଗଣିତ,

କେ କହୁ ବାତୁଳ, ମୁର୍ଖ, ଛଦ୍ମବେଶୀ,

ଲେଶମାତ୍ର ଦୁଃଖ ନାହିଁ ତହିଁ ଶଶି,

ମୋ ଆତ୍ମାର ସତ୍ତା ମୋ ଆତ୍ମା-ଶକ୍ତି,

ମୋ ପ୍ରାଣର ଆଶା ବ୍ୟାକୁଳ ଭକତି

ମୋ ହୃଦୟ ପ୍ରେମ ଗଭୀର ମହାନ

ନ ଲଭୁ ଆଦର ଅବା ଭବେ ସ୍ଥାନ,

ନାହିଁ ମୋର ତହିଁ ଦୁଃଖ,

ତୃଷାନିବାରଣେ ବାରି ଯେ ଖଞ୍ଜିଛି,

ଖଞ୍ଜିଛି ମୋ ପାଇଁ ସୁଖ ।

 

(୪୪)

କ୍ଷୀର ମାତୃସ୍ତନେ କଳାଯେହୁ ଦାନ,

ବଢ଼ାଇଲା ଯତ୍ନେ ଥିଲି ଯେବେ ସାନ,

ଏବେ କି ବୁଝିବ ନାହିଁ ମୋ ଯାତନା,

ଏବେ କି ଶୁଣିବ ନାହିଁ ମୋ ପ୍ରାର୍ଥନା,

ନ ଦେଖିବ ମୋର ବ୍ୟାକୁଳ ରୋଦନ,

କାନ୍ଦି କାନ୍ଦି ନେତ୍ର କ୍ଷୀଣ ଅନୁକ୍ଷଣ,

ନ ଜାଣୁ କେ ଭବବାସୀ,

ଅଛି ଜଣେ ମୋର ପରାଣ ଈଶ୍ୱର,

ପ୍ରେମ ଯାର ଅବିନାଶୀ ।

 

(୪୫)

ସେ ତ ନୁହେଁ ମାତ୍ର ଅନ୍ଧ ଶକ୍ତି ସତ୍ତା,

ସେ ତ ମୋର ଦେହ ଆତ୍ମାର କରତା,

ସେ ଯଦି ରୋପିଲା ତରୁ ଆଶାକୁଞ୍ଜେ,

ସେ ଯଦି ଶୋଭିଲା ମଞ୍ଜୁ ଫୁଲ କୁଞ୍ଜେ,

ସେ ଯଦି ଗାଇଲା ପିକ ପଞ୍ଚତାନେ,

ବସନ୍ତ ସମ ତ ଆସିବ ଏ ପ୍ରାଣେ

ମଳୟମରୁତ ଶ୍ୱାସେ,

ହରିନେବ ମୋର ହୃଦୟର ଦୁଃଖ,

ଚାହିଁଛି ପଥ ବିଶ୍ୱାସେ ।

 

(୪୬)

ଅନ୍ତରେ ତାହାର ଶୁଣେ ମଧୁସ୍ୱର,

କର୍ତ୍ତବ୍ୟକାରଣେ ଡାକେ ନିରନ୍ତର,

କର୍ତ୍ତବ୍ୟରେ ସୁଖ କହେ ନିତି ମୋତେ,

କର୍ତ୍ତବ୍ୟ, କର୍ତ୍ତବ୍ୟ, ବୁଝିବି କେମନ୍ତେ ?

ତୁ ବୁଝୁ କର୍ତ୍ତବ୍ୟ ତୋର,

ସ୍ୱସମୟେ ଉଦି ଅମ୍ୱରେ ଜଣାଉ

କର୍ତ୍ତବ୍ୟରେ ସୁଖ ମୋର ।

 

(ତୃତୀୟ ତରଙ୍ଗ)

କାମିନୀ ପ୍ରତ

 

ଯେବେ ଧିରେ ଅସ୍ତାଚଳେ ଢଳିପଡ଼େ ରବି

କରକକିରଣେ ରଞ୍ଜି ପ୍ରତୀଚୀ ବଦନ,

କ୍ଷୁଦ୍ର ଖଣ୍ଡ ମେଘାବଳୀ ନାନାରଙ୍ଗ ଛବି,

ଉଜ୍ଜଳି ଆକାଶତଳ ନୀଳିମା ଶୋଭନ ।

 

ଧୀରେ ଧୀରେ ବହିଆସେ ସାନ୍ଧ୍ୟ ସମୀରଣ,

ବହିଆଣେ ସୁଧାଭାର କେଉଁ ଦୂର ଦେଶୁଁ,

ଫୁଟନ୍ତି ଅମ୍ୱରେ ଧୀରେ ଦୀପ୍ତ ତାରାଗଣ,

ଜୁଳୁଜୁଳୁ ଚାହୁଁଥାନ୍ତି ସେ ଦୂର ଆକାଶୁଁ ।

 

ଧୀରେ କି ଓହ୍ଳାଇଆସେ ନଭେ ଅନ୍ଧକାର,

ଧୀରେ କି ଆଲିଙ୍ଗେ ଧରା ନିଶା ମନୋହାରୀ,

ଧୀରେ ନଭକୋଣେ ହସିଉଠେ ଶଶଧର,

ଧୀରେ ନୀଡ଼େ ବାହୁଡ଼ନ୍ତି ପକ୍ଷୀ ଧାଡ଼ି ଧାଡ଼ି ।

 

ସେକାଳେ ମୋ କୁଞ୍ଜବନେ କି ମନ୍ତ୍ରପରଶେ

ଜାଗିଉଠେ ସୁପ୍ତା ମୋର କାମିନୀ ସୁନ୍ଦରୀ,

ଘନନୀଳ ପତ୍ରକୁଞ୍ଜେ ମୃଦୁମନ୍ଦ ହସେ,

ବସନ-ଆବୃତା ଯୋଷା ହସେ ଯେଉଁପରି,

ଓଢ଼ଣାର ତଳୁ ଦିଶେ କ୍ଷୁଦ୍ର ଜବାଧର,

ପବିତ୍ର ଆନନକାନ୍ତି ଚିର ବ୍ରିଡ଼ାବତୀ,

ଅବନତ ନେତ୍ରେ ହସେ ଆହା କି ସୁନ୍ଦର,

ଲଳିତା, କୋମଳା ବାଳା, ସୁବାସିତା, ସତୀ ।

 

ହସେ କିଶଳୟ-ବାସ-ଆବୃତ ବଦନେ,

ସୁକ୍ଷୁଦ୍ରା କାମିନୀ, ପୂତା, ଶ୍ୱେତ-ଶୋଭାନ୍ୱିତା,

ଫୁଟି ପତ୍ର ଅନ୍ତରାଳେ ଲୁଚେ ପତ୍ରକୋଣେ,

ପବନ ପରଶେ କ୍ଷଣେ କ୍ଷଣେ ଚମକିତା ।

 

ଶୀତଳ ମାରୁତେ ବହିଆସେ ଗନ୍ଧରାଶି,

ବହିଆସେ ଗନ୍ଧରାଶି ଆକୁଳି ମୋ ପ୍ରାଣ,

ଶୁଭ୍ର ଫୁଲ ପେନ୍ଥା ପେନ୍ଥା ନୀଳ ପତ୍ରେ ମିଶି

ଲୁଚି କି ଦେଖାଏ ଲଜ୍ଜା ରମଣୀଭୂଷଣ ।

 

ସ୍ନେହର ଶିଶିରକଣା ଝରେ ଅନମ୍ୱରୁ

ସ୍ନେହ-ଅନ୍ଧକାର କୋଳେ ଆଲିଙ୍ଗେ ଯାମିନୀ,

ଜନକ ଜନନୀ ସ୍ନେହ ସମପୂତ, ଚାରୁ,

ଲଭି ଶତଗୁଣେ ତୋରା ଦିଶୁ କି କାମିନୀ ।

 

ପତ୍ରଗହଳରେ କିନ୍ତୁ ଭେଦି ଅନ୍ଧକାର

ଚାନ୍ଦିନୀ ଚୁମ୍ୱନେ ତୋତେ ଚୁମ୍ୱେ ଚାରୁ ଚନ୍ଦ୍ର,

ଥରେ ତୋର କ୍ଷୁଦ୍ର ବକ୍ଷ ପ୍ରେମେ ଥର ଥର,

ପରଶେ ଚାନ୍ଦିନୀ ଯେବେ ପତ୍ର ପ୍ରତି ରନ୍ଧ୍ର ।

 

ମୃଦୁବାତବିକମ୍ପିତା, କାମିନୀ, କୋମଳା,

ସତେ କି ପ୍ରଣୟବାର୍ତ୍ତା ଚନ୍ଦ୍ର ସମୀପରୁ

ଆଣି କାନେ କହିଯାଏ, ରମ୍ୟ ଲଜ୍ଜାଶୀଳା,

ତୋତେ ସମୀରଣ, ତେଣୁ ପ୍ରେମାବେଶେ ଥରୁ ।

 

ଚିରାନତ ତୋ ବଦନ, ନାହିଁ ମୁଖେ କଥା,

ସରଳତା ଜାଣି ତୋର ହରି କି ସମୀର

ତୋହର ସୁରଭିରାଶି, ଜାଣି ଚନ୍ଦ୍ର ବ୍ୟଥା,

ସଜାଡ଼ିଦିଅଇ ସ୍ନେହ ଶ୍ରଦ୍ଧା ଉପହାର ।

 

ଜାଣି ତୋତେ ଲଜ୍ଜାବତୀ ତେବେ ମିଛେ ମିଛେ

ପଶଇ ଶଶାଙ୍କ ତୋର ପତ୍ରଆବାସରେ,

ଚାନ୍ଦର ଚାନ୍ଦିନୀ ସ୍ୱଚ୍ଛ, ଆଦରଇ ସ୍ୱଚ୍ଛେ,

ଗୁଣ ଚିହ୍ନେ ଗୁଣୀ, ଏତ ଚଳିତ ଭବରେ ।

 

ଚନ୍ଦ୍ର ଶ୍ୱେତ ଚିତ୍ତେ ମିଶେ ତୋର ଶ୍ୱେତ ଚିତ୍ତ,

ଚାନ୍ଦିନୀପରଶେ ବାଳା ଦିଶେ ଅପସରା,

କହୁନାହିଁ କଥା, କିନ୍ତୁ ଚିର ମୌନବ୍ରତ

କରେ ତୋର ଶୁଭ୍ର ତନୁ ଶତଗୁଣେ ତୋରା ।

 

ଯେତେ ପତ୍ରବାସେ ତୁହି ଆବରୁ ବଦନ,

ତେତେ ତୋ ସୁରଭିରାଶି ଚହଟି ଚୌଦିଗେ,

ଦିଏ ତୋର ପରିଚୟ କାମିନୀ ସୁମନ !

ଇଚ୍ଛେଁ ତୋଳିବାକୁ କେତେ ଆଦରେ ସୁଆଗେ ।

 

କେତେ ଥର ଭାବେ ତୋତେ କାମିନୀ ସୁନ୍ଦରୀ!

ଜଗତରେ ନାରୀତ୍ୱର ତୁହି ନିଦର୍ଶନ,

ନାରୀର ସୌନ୍ଦର୍ଯ୍ୟ ଳଜ୍ଜା, କୋମଳତା ଶିରୀ,

ଶୁଭ୍ର ପବିତ୍ରତା ତା’ର ଜୀବନେ ରତନ ।

 

ଲଟି ପତ୍ରଅନ୍ତରାଳେ ବାସ ବିତରଣେ

ଶିଖାଉ କି ରମଣୀୟ ଗୃହଧର୍ମନୀତି,

ସଂସାରଆଶ୍ରମେ ନାରୀ କର୍ତ୍ତବ୍ୟ ସାଧନେ

ଲଭଇ କଲ୍ୟାଣ ଚିର ପବିତ୍ର କୀରତି ।

 

କେତେ ଫୁଲ ପେନ୍ଥା ପେନ୍ଥା ତୋଳେଁ ଫୁଲ୍ଲମନେ,

ସଜାଇବି ବୋଲି ମୋର କ୍ଷୁଦ୍ର ନିକେତନ,

ଫୁଟେ କି କାମିନୀ ଫୁଲ ମୋ କ୍ଷୁଦ୍ର ଜୀବନେ

ପବିତ୍ର କରି ତା ବାସେ କଳୁଷିତ ମନ!

ଯେବେ ନିଶାଯାମେ ବସି ବାତାୟନ ପାଶେ

ପଠନେ ମଗନେ ମୋର ଅବଶ ପରାଣ,

କ୍ଷଣକେ ହୁଅଇ ମୁଗ୍‌ଧ କାମିନୀ ସୁବାସେ,

ବହି ଆଣେ ସେ ସୁବାସ ନୈଶ ସମୀରଣ !

 

ଅନ୍ଧାରେ ଫୁଟି ତୁ କରୁ ବାସ ବିତରଣ,

ଦିବାରେ ଆଲୋକେ ସ୍ନାନ ହୋଇ ହତଶିରୀ

ପଡ଼ିଥାଉ ତରୁତଳେ, କରେଁ ଆହରଣ

ମଳିନ ସେ ପୁଷ୍ପରାଶି ସ୍ନେହାଞ୍ଜଳି ଭରି ।

 

ଅନ୍ଧାରେ ମହିମା ତୋର, ଗୋପନେ ତୋ ଶିରୀ

ପତ୍ରକୋଣେ, ଗୃହେ ଯଥା ନାରୀ ଗୁଣବତୀ,

ପ୍ରାଣର ଆଦର ସ୍ନେହ ସୁଗନ୍ଧ ବିତରି

ଢାଳେ ଶତ ପ୍ରାଣେ ଶାନ୍ତି, ପବିତ୍ର ପୀରତି ।

 

ଚାନ୍ଦିନୀପରଶେ ଫୁଟି ହସୁ ତୁ ଲଳିତା,

ଶିଖାଉ କି ପତି ତୋର ସର୍ବସ୍ୱ ଜୀବନେ,

ପତିର ଆଦର ସ୍ନେହ ଲଭି ପତିବ୍ରତା

ରହେ ପଦେ ଚିରାନତ ପବିତ୍ର ବଦନେ ।

 

କର ଲୋ ତୋ ପରି ମୋତେ କାମିନୀସୁନ୍ଦରି,

କର ପୂତ, ସୁବାସିତ ମୋ କ୍ଷୁଦ୍ର ହୃଦୟ,

ଢାଳୁ ପ୍ରତି ପ୍ରାଣେ ପେମପୂତ ଶାନ୍ତିବାରି,

ହେଉ ମୋ ଭୂଷଣ ଲଜ୍ଜା, ନମ୍ରତା ବିନୟ ।

 

(ଚତୁର୍ଥ ତରଙ୍ଗ)

କମଳ ପ୍ରତି

 

କମଳ ରେର !

କିପାଇଁ ଶୋଭିଛୁ ତୁହି ପଙ୍କିଳ ଜଳରେ ?

ଦୂର ଅରଣ୍ୟ ପ୍ରାନ୍ତରେ ବାସନ୍ତୀ ଉଷାରେ,

ସ୍ନାତ ସ୍ନେହ-ପୂତ ଅଶ୍ରୁ ଶିଶିର ଆସାରେ,

ବିଜନେ ଗୋପନେ ଫୁଟି ମୃଦୁମନ୍ଦାନିଳେ ଲୋଟି

ଅତୁଳ ସୌନ୍ଦର୍ଯ୍ୟମୟ ସୁରଙ୍ଗ ଭୂଷାରେ

ମେଲାଇଛୁ ରୂପରାଶି ସୁନୀଳ କାସାରେ ।

 

ଧୀରେ ଧୀରେ ନବରବି ଆସିଲେଣି ଉଇଁ

ଧୀରେ ଧୀରେ ହେମକର ଛୁଇଁଲାଣି ଭୂଇଁ,

ଧୀରେ ଧୀରେ ଥରି ଥରି ପତରୁ ଶିଶିର ଝରି

କମ୍ପିଲେଣି ତରୁଲତା ସମୀର ପରଶେ,

ଫୁଟିଲେଣି ଫୁଲରାଶି ସତେ କି ହରଷେ,

ଜକ ଜକ ଝଟକୁଛି ହିମବିନ୍ଦୁଚୟ

କୋମଳ କୁସୁମଦଳ ଚାରୁ ଶୋଭାମୟ,

ଅଗଣିତ ମୁକ୍ତାରାଶି ବିଞ୍ଚିଦେଲା କିଏ ଆସି

ସୁଶ୍ୟାମଳ ତୃଣଦଳେ ଅବା ସେ ହରିତ

ଧରଣୀ-ରାଣୀ-ଦୁକୂଳେ ମୁକୁତା ଖଚିତ ।

 

ଧୀରେ ଧୀରେ ଶୁଭିଲାଣି ବହଙ୍ଗ କାକଳୀ,

ଦିବ୍ୟ ଗାନେ ଝଙ୍କାରିତ କରି ବନସ୍ଥଳୀ

ଗୁଞ୍ଜରି ଭ୍ରମରାବଳୀ ଆସିଲେଣି କରି କଳି,

ଫୁଲେ ଫୁଲେ ଆଶ୍ରିଲେଣି ମଧୁପାନ ଆଶେ,

ମୋହିତ ଅବା ସେ ଫୁଲ-ସୁବିମଳ-ବାସେ ।

 

ଘନନୀଳ ତନୁରାଜି ରାଜି ଫୁଲପରେ

ରମଣୀ ଅଳକ ଶୋଭା ଜଗାଏ ମନରେ,

ଶ୍ରବଣ କୁସୁମ ଅଙ୍ଗେ କୁଞ୍ଚିତ ବିଚିତ୍ର ଭଙ୍ଗେ

ଚୁର୍ଣ୍ଣିତ କୁନ୍ତଳରାଶି ରମ୍ୟନୀଳ ଶୋଭା,

ଲଳିତ କୋମଳ ପ୍ରିୟ-ଜନ-ମନୋଲୋଭା ।

 

ନବ କିଶଳୟଦଳେ ପେନ୍ଥା ପେନ୍ଥା ଫୁଲ

ବିଚିତ୍ର ବିବିଧ ବର୍ଣ୍ଣେ ଗ୍ରଥିତ ମଞ୍ଜୁଳ,

ନବ ଶ୍ୟାମଳ ମାଧୁରୀ ଉଜ୍ଜ୍ୱଳ ବିମଳ କରି

ମୃଦୁଳ ବତହିଲ୍ଲୋଳେ ତରୁଲତା ଅଙ୍ଗେ,

ଢଳି ଢଳି ପଡ଼ୁଛନ୍ତି ଶୋଭା ବୀଚିଭଙ୍ଗେ ।

 

ଅନନ୍ତ ପ୍ରଶାନ୍ତ ନୀଳ ଦିଗ୍‌ବଳୟ ପ୍ରାନ୍ତେ

ଉଦିତ ତରୁଣାରୁଣ ବସନ୍ତ ନିଶାନ୍ତେ,

ପାଟଳି ଜୀମୂତାବଳୀ      ଉଜ୍ଜ୍ୱଳି ଅମ୍ୱରସ୍ଥଳୀ

ପ୍ରାଚୀସୁନ୍ଦରୀ ଶରୀରେ ଆଲୋକ-ବସନ

ଦିବ୍ୟ କନକ କର ପଡ଼ିଛି ସଲିଳେ,

ମନ୍ଦେ ମନ୍ଦେ ଥରୁଛି ଯା ମୃଦୁଳ ଅନିଳେ,

ପଦ୍ମପତ୍ର ପରେ ଜଳ      ଢଳ ଢଳ ଛଳ ଛଳ,

ତହିଁପରେ ଇନ୍ଦ୍ରଧନୁ କର୍ଣ୍ଣ କି ବିକାଶେ,

ତହିଁପରେ ଫୁଲରାଣୀ ପଦ୍ମ ହସି ଭାସେ ।

 

ସତେ କି ମରତେ ଫୁଟିଅଛି ସ୍ୱର୍ଗଫୁଲ,

ସତେ କି ସକଳ ଶୋଭା ଏକାଧାରେ ଠୁଳ,

ସୁକୋମଳ ଦଳପନ୍ତି      ଚିକ୍‌କଣ ଲଳିତ କାନ୍ତି

ଏକ ପରେ ଆନ ଶୋଭେ କାରୁକର୍ମ ସମ,

ଶତ ଦଳ ନାମ ତୋର ସାର୍ଥକ ସୁମନ ।

 

ଆରେ ଶତଦଳ!

ସତେ କି ସତତ ତୁହି ମଧୁର ଉଜ୍ଜ୍ୱଳ ?

ଏଡ଼େ ତୁ ସୁନ୍ଦର ତୋର ପଟାନ୍ତର କାହିଁ,

ଲେଖନୀ ଲଜ୍ଜିତ ମୋର ବର୍ଣ୍ଣି ପାରେନାହିଁ,

ଢଳ ଢଳ ରୂପରାଶି      ଝଳୁଅଛି ଜଳେ ଭାସି

ଦଳେ ଦଳେ ଝରିପଡ଼େ କି ପୂଣ୍ୟ ଅମୃତ,

ନିରେଖି ନିରେଖି ମୋ ନେତ୍ର ହୁଏ ପୂତ ।

 

ନିରେଖି ସତତ ମୋର ଦିବ୍ୟ ଶୋଭାରାଶି

ନୟନ ମୋହର ଜଳେ ଯାଉଛି ତ ଭାସି,

ଚଞ୍ଚଳ ବିମୁଗ୍‌ଧ ପ୍ରାଣ ବାଜେ ହୃଦତନ୍ତ୍ରୀ ତାନ,

ଛନଛନ ଘନଘନ ତନୁ ରୋମାଞ୍ଚିତ,

ପ୍ରେମାବେଶେ ପୁଲକରେ ଚିତ୍ତ ଉଲ୍ଲସିତ ।

 

ମନେ ହୁଏ ସତେ ତୋଳିଆଣି ଏହିକ୍ଷଣେ

ଆଦର କରନ୍ତି ତୋତେ ମଧୁର ଚୁମ୍ୱନେ,

କେଡ଼େ କୋମଳ ତୋ ବଳ,      କେଡ଼େ ସ୍ୱଚ୍ଛ ସୁଦିମଳ,

ପରଶେ ମୋହର ଅବା ହେବ ହତଶିରୀ,

ନଳିନ! ମଳିନ ହେବ ତୋ ପୂଣ୍ୟ ମାଧୁରୀ ।

 

ହସୁଥା ହସୁଥା ପଦ୍ମ, ନାହିଁ ପ୍ରୟୋଜନ,

ଛିନ୍ନ କରିବି ତୋ ବୃନ୍ତ ଅକାନେ ସୁମନ,

ଦେଖି ତୋ ଶୋଭା ପବିତ୍ର       ହେଉ ସାର୍ଥକ ମୋ ନେତ୍ର,

ସୁଷମାପିପାସୁ ଚିତ୍ତ ହେଉ ମୋ ଶମିତ,

ତୋ ପୂଣ୍ୟ ଦର୍ଶନେ ଦୂରେ ଯାଉ ମୋ ଦୂରିତ ।

 

କ୍ଷୀଣ କୋମଳ ମୃଣାଳେ କଣ୍ଟକ ଜଡ଼ିତ

ଢଳୁଥା କୁସୁମରାଣୀ ସ୍ନିଗ୍‌ଧ ପୁଲକିତ,

ମନୋହର ମକରନ୍ଦ କ୍ଷରୁ ସଦା ମୃଦୁ ମନ୍ଦ,

ଦଳେ ଦଳେ ମଧୁକରେ ହୋଇ ସମାକୁଳ

ଚାହିଁଥା ରବିଙ୍କି ତୋର, ଉଜ୍ଜ୍ୱଳ ମଞ୍ଜୁଳ ।

 

ଆରେ କୁଶେଶୟ !

ତୁ କି ନିତ୍ୟ ପୁଣ୍ୟମୟ ଅମୃତମୟ ।

ପୁଣ୍ଡରୀକ ପୁଣ୍ୟତୀର୍ଥ ପାପୀ ତାପୀ ପାଇଁ,

ପଙ୍କେ ଜନ୍ମି ଅଙ୍ଗେ ତୋର ପଙ୍କ ଲାଗେ ନାହିଁ,

ବିଧାତା ବିଚିତ୍ର ଲୀଳା, କି ପ୍ରେମେ ତୋତେ ସୃଜିଲା,

ବସି ଭାବୁଅଛି ମନେ ରେ ପଦ୍ମ ସୁନ୍ଦର !

 

ତୋ ପାଇଁ ଲୋଡ଼ା କି ଏକା ପଙ୍କ ସରୋବର

ପଙ୍କ ବିନା ପଙ୍କଜ କି ନ ପାରିବୁ ଉଠି ?

ଜଳପରେ ହସି ହସି ଦେଖାଇବୁ ରୂପରାଶି,

ପୁଣ୍ୟର ଜନମ ସତେ ଏ ପାପ ମହୀରେ,

ମହତ ଜନମ ସତେ ଦରିଦ୍ର କୁଟୀରେ ।

ରେ ବିସ-ପ୍ରସୂନ !

କିପରି ବର୍ଣ୍ଣିବି ତୋର ସୁମହତ ଗୁଣ ।

 

ସୁନ୍ଦର ମଧୁର ପ୍ରିୟ କୋମଳ ଲଳିତ

ତୋ ରମ୍ୟ ବଦନ ସଙ୍ଗେ ଚିର ଉପମିତ,

ସର୍ବ ପଟାନ୍ତର ସାର ତୁଳନା ନାହିଁ ଯାହାର,

ଏପରି କି ଜନ୍ମିଅଛୁ ତୁ ଏ ଭବଧାମେ,

ଲିହିଛି କି ସର୍ବ ଶୋଭା ବିହି ପଦ୍ମ ନାମେ ।

 

ଆରେ ପଦ୍ମଫୁଲ !

ନାହିଁ କି ଜଗତେ କିଛି ତୋର ସମତୁଲ ?

ଏକାକୀ ସୌନ୍ଦର୍ଯ୍ୟ ତୋର ତୋହରି ଉପମା,

ନାହିଁ କିଛି ଜିଣିବ ଯା ତୋ ଦିବ୍ୟ ସୁଷମା,

ଅଛି ଅଛି ରେ ରାଜୀଦ, ଅଛି ମୋ ଅନ୍ତରେ ଜୀବ,

ତୋଠାରୁ ମହତ ବଳି ତୋଠାରୁ ସୁନ୍ଦର,

ଅତୁଳିତ ରୂପରାଶି ପ୍ରେମେ ସେ ଭାସ୍କର ।

 

ଆରେ ତାମରସ !

ଏ ତନୁ-ସରସେ ହସେ ମୋ ଆତ୍ମା-ସାରସ ।

ଜଡ଼ତ୍ୱ ଦେବତ୍ୱ ମର୍ତ୍ତ୍ୟେ ଅମରତ୍ୱରାଜି,

ତମୋଜ୍ୟୋତି ମିଳି ଅବା ହୁଏ ଛାୟାବାଜି,

ପଙ୍କିଜ ଆଦିଳ ପାପେ ଦଗ୍‌ଧୀଭୂତ ନାନୀ ତାପେ

ନିତି କାନ୍ଦେ ତଥାପି ଏ ଚାରୁ ଆତ୍ମାଫୁଲ,

ସମସ୍ତ ଜଗତେ କହ କାହିଁ ତାହା ତୁଲ ।

ବିଧାତାର ସାର ସୃଷ୍ଟି ଅପୂର୍ବ କୀରତି

ମର ଦେହେ ଅମରାତ୍ମା କରେ ଯା ବିସତି,

ଦୁଃଖକଣ୍ଟକେ ଜଡ଼ିତ ମୃଣାଳେ ସେ ପ୍ରସ୍ଫୁଟିତ,

ପାପ-କାଳ-ବ୍ୟାଳ ପୁଣି ମୂଳଦେଶେ ତାର,

ଭୀଷଣ କାନନସ୍ଥଳୀ ପରା ଏ ସଂସାର ।

 

ବିଜନେ ଗୋପନେ ଫୁଟି ଉଠେ ସେ ବିକଶି,

ସେ ପ୍ରେମ ଅରୁଣ ପ୍ରିୟ କିରଣେ ଉଲ୍ଲସି

ରବି ବିନା ରାଜୀବର ନାହିଁ ଆଉ ଗତ୍ୟନ୍ତର,

ତେସନ ସେ ରବି ବିନା ଏ ଆତ୍ମା-ରାଜୀବ-

ଲପନେ ସୁହାସ ସତେ ଆନ କେ ସୃଜିବ !

ଅଜ୍ଞାନତିମିରେ ବସି କାନ୍ଦେ କେତେ ହାୟ!

ଉଇଁବେ କି ପ୍ରେମମୟ ନବ ରବି ପ୍ରାୟ,

ଶିଶିରଲୋତକ ମୋର       ନୟନରୁ କରି ଦୂର

ପ୍ରେମକିରଣେ କୋମଳ ମଧୁର ଚୁମ୍ୱନ

କରିବେ ସେ ପ୍ରାଣସଖା ଅଚିରେ ବହନ ।

 

ଆରେ ଅମ୍ଭୋରୁହ !

ସେ କାନ୍ତ କିରଣ ବିନା କାନ୍ଦେ ଅହରହ ।

ଜୀବନବସନ୍ତେ ମୋର ଏ ମଧୁ ପ୍ରଭାତେ

ଉଦିବେ ସେ ପ୍ରେମ-ଭାନୁହୃଦାକାଶ ପ୍ରାନ୍ତେ,

ଅବା ଅଜ୍ଞାନତା ଘନ       କରିଅଛି ସମ୍ମାଚ୍ଛନ୍ନ

ମୋହର ହୃଦୟ ପୁଣ୍ୟ ପ୍ରେମମୟରବି,

କ୍ଷଣେ ଅପସରିଲେ ତ ଦିଶିଯିବ ଛବି ।

 

ନଳିନ !

ସେ ସୂର୍ଯ୍ୟକିରଣ ଦିନା ମୋ ଆତ୍ମା ମଳିନ ।

ପରମ ବିଶ୍ୱାସ ମୋର ପରମଈଶ୍ୱରେ,

ପ୍ରଫୁଲ୍ଲ ହୋଇବି ଦିନେ ଯାହା ପ୍ରେମ-କରେ,

ଯେ କହନ୍ତୁ ଯାହା ପଛେ, ଭ୍ରମୁଥିବି ମୁହିଁ ପଛେ,

ଶତ ଶାସ୍ତ୍ର ଶତ ତତ୍ତ୍ୱ କରି ଅବହେଳା,

ତା ଉଦ୍ଦେଶ୍ୟେ ଭସାଇବି ମୋ ଜୀବନ-ଭେଳା ।

 

କହନ୍ତୁ ଅସାର ଲୋକେକ ବିର କଳ୍ପନା,

ଉନ୍ମତ୍ତ ପ୍ରଳାପ ଅବା ବୃଥା ଉତ୍ତେଜନା,

ଅବା କେହି ଶ୍ଳେଷ ଗିରେ ନିନ୍ଦୁ, କି ଭୟ ତହିଁରେ,

ସରଳ ବିଶ୍ୱାସ ମୋର ଅନ୍ତରର କଥା,

ସବୁ ବୃଥା, ସବୁ ମିଥ୍ୟା ମୋର ପ୍ରାଣବ୍ୟଥା !

 

ଆରେ ଶତଦଳ !

ତୋ ପାଇଁ କଳ୍ପିତ ପରା ଏ ରବି ଉଜ୍ଜ୍ୱଳ ।

ଯାହା ପ୍ରେମ-କିରଣେ ତୁ ଏତେ ଶୋଭା ଧରୁ,

ନିରେଖି ଯା ପ୍ରେମମୟ ରୂପ ପ୍ରେମେ ଥରୁ,

ମୋର ଶତ ମର୍ମବ୍ୟଥା ମୋର ଶତ ହୃଦକଥା

ବୁଝିବାର ପାଇଁ କେହି ନାହିଁ ଏ ସଂସାରେ,

ଅକାରଣେ ମରେ ମୁହିଁ ତୀବ୍ର ବାସନାରେ ।

 

ଆରେ ସରୋରୁହ!

ଦଣ୍ଡେ ଶୁଣ ମୋ ବଚନ, ବିମୁଖ ନ ହୁଅ ।

କହ କିପାଁ ହୃଦେ ମୋର ଏ କର୍ତ୍ତବ୍ୟ-ପ୍ରୀତି,

କିପାଁ ସର୍ବକାର୍ଯ୍ୟେ ମୁହିଁ ଲୋଡ଼େଁ ସତ୍ୟ ନୀତି,

‘ସତ୍ୟ’ ଧର୍ମ ‘ପ୍ରେମ’ କହି       ବୃଥା ଦିନ ଯାଏ ବହି,

ସତ୍ୟର ଆକର ବିଶ୍ୱେ କେହି ଜଣେ ନାହିଁ,

ବୃଥା ଏ ପ୍ରୟାସ ତେବେ କହ କାହା ପାଇଁ !

 

ଆରେ ପଦ୍ମଫୁଲ !

ପ୍ରେମଆଶେ ମୋ ହୃଦୟ କିପାଇଁ ଆକୁଳ ?

ଯେତେ କରେଁ ପ୍ରେମ ତେବେ ବଢ଼େ ମନସ୍ତାପ,

ଯେତେ ପ୍ରୀତି ଯେତେ ସ୍ନେହ ତେତେ ତାପ,

ସଂସାରକୁ କରି ପ୍ରେମ       ଦେଖେଁ ବୃଥା ପରିଣାମ,

ତଥାପି ନ ଶମେ ମୋର ଦାରୁଣ ପିପାସା,

କିପାଁଇ କହ ରେ ଏତେ ବୃଥା ପ୍ରେମଆଶା ।

 

ଆରେ ପୁଣ୍ଡରୀକ !

ବୋଲିବି କି କରମକୁ ଚିରଦିନ ଧିକ ।

କି ଶାନ୍ତି ଲଭିବି ପ୍ରାଣେ ନିନ୍ଦି ମୋ କରମ,

କି କରିଛି, ନ ଜାଣି ମୋ ସକଳ ଲୋଚନ

ଅକାରଣେ ଦିନରାତି, ଏହି କି କ୍ରୁର ନିୟତି

ବିଧାତାର, ଅଥବା ସେ ପ୍ରୀତିଭରା ପ୍ରାଣେ

ତୋଷିବ ତୃଷିତ ଆତ୍ମା ପ୍ରେମ-ଜଳ ଦାନେ ।

 

ଆରେ କୁଶେଶୟ !

କି ଲୋଡ଼େ ଜଗତେ ମୋର ଏ ଦୀନ ହୃଦୟ ।

ସୂର୍ଯ୍ୟ ସମ ସମୁଜ୍ଜ୍ୱଳ ଅବା ସୋମ ସମ

ନ ଇଚ୍ଛଇଁ ହେବାକୁ ମୁଁ ଦୀପ୍ତ ମନୋରମ,

ଅବା ତାରାଦଳ ସଙ୍ଗେ       ବିହାର କରିବି ରଙ୍ଗେ

ନାହିଁ ମୋ ବାସନା ଅବା ସାଗରଗରଭ

ମଣିମୁକ୍ତା ରତ୍ନରାଜି ଅତୁଳ ବିଭବ ।

 

ଲୋଡ଼ୁନାହିଁ ହେବି ମୁହିଁ ତ୍ରିଭୁବନ-ଈଶ,

ସେ ପ୍ରେମଦେବତା ବିନା ଶୂନ୍ୟ ଦଶଦିଗ,

ଏକା ମୁଁ ସରବ ଧାରା ଶାସନ କରନ୍ତି ପରା,

କି ସୁଖ ତହିଁରେ ମୋର କି ଆନନ୍ଦ ପ୍ରାଣେ,

କି ଶାନ୍ତି ତହିଁରେ କଞ୍ଜ, ବିନା ଆତ୍ମଦାନେ ।

 

ଥିବି ମୁହିଁ କ୍ଷୁଦ୍ର ଆହା, ଥିବି ମୁହିଁ ସାନ

ସେ ପ୍ରିୟ ଚରଣେ ମୋର ଆତ୍ମା କରି ଦାନ,

ପ୍ରେମ-ଅଶ୍ରୁଜଳେ ନିତି ପଦତଳ ଯିବ ତିନ୍ତି

ଉଠାଇନେବ ସେ ଧୀରେ ପ୍ରେମଆଲିଙ୍ଗନେ,

ତୁଷ୍ଟ ହେବ ଆତ୍ମା ମୋର ତା ପ୍ରେମବଚନେ ।

 

ତାର ପ୍ରେମମଧୁ ପାନେ ଶମିବ ପିପାସା,

ଚିରଦିନ ହୃଦୟର ଆକୁଳତା ଆଶା,

ମୋ ହୃଦ-ବୀଣାତନ୍ତ୍ରରେ ଗାଇବ ମଧୁର ସ୍ୱରେ

ଆଲୋଡ଼ିତ ଉଚ୍ଛ୍ୱସିତ କରି ପ୍ରାଣ ମୋର,

କରୁଣ ସଙ୍ଗୀତେ ଦୂର କରି ପ୍ରାଣ ମୋର ।

 

ପ୍ରତି ନିମେଷର ଶତ ବେଦନା ଯାତନା

ଅନୁଭୂତ ହେବ ତାର ଏ ମୋର କଳ୍ପନା,

ମୋର ଉଷ୍ଣ ଅଶ୍ରୁଧାର ଚରଣ ଧୋଇବ ତାର,

ମୋର ଶତ ଦୀର୍ଘଶ୍ୱାସ ଭେଦିବ ତା ପ୍ରାଣେ,

ଏ କି ମୋର ଉନ୍ମାଦନା, ଆହା କିଏ ଜାଣେ ।

 

ନିଜର ନିଜସ୍ୱ ମୋର ତାଠାରେ ହଜାଇ

ଯାପିବି ଅନନ୍ତ କାଳ ତା ସ୍ୱରୂପ ଧ୍ୟାଇ,

ସେହି ମୋର ମୋକ୍ଷକାମ, ସେହି ମୋର ଶକ୍ତିଧାମ

ତାହାର ବ୍ୟକ୍ତିତ୍ୱେ ମୋର ବ୍ୟକ୍ତିତ୍ୱ ବିକାଶ,

ତାପ୍ରେମେ କେବଳ ମୁହିଁ ଲଭିବି ଉଲ୍ଲାସ ।

 

ବୃଥା ତର୍କ ବୃଥା ଯୁକ୍ତି ବୃଥା ବିଦ୍ୟାଶ୍ରମ,

ତାକୁ ନ ପାଇଲେ ମୋର ନ ତୁଟିବ ଭ୍ରମ,

ସେ ତ ମୋ ଆତ୍ମାର ତ୍ରାତା, ସେ ତ ମୋର ଜ୍ଞାନଦାତା,

ଅନ୍ଧ ପରି ମୂକ ପରି ସେବିବି ତାପଦ,

କି ଲାଭ ମୋହର ପାଇ ବିଶ୍ୱର ସମ୍ପଦ !

ତାବିନା ତିଳେହେଁ ମୋର ନାହିଁ ଦେହେ ଶକ୍ତି,

ତାବିନା ତିଳେଟି ମୋର ହୃଦେ ନାହିଁ ଭକ୍ତି,

ମୁହିଁ କ୍ଷୁଦ୍ର ବିନ୍ଦୁପରି, ସେ ମହାଜଳଧି ସରି,

ମୁଁ କ୍ଷୁଦ୍ର ପଙ୍କଜ ସେ ଯେ ସବିତା ସୁନ୍ଦର,

ସତ୍ୟ ଶାନ୍ତି ଜ୍ୟୋତି ଶକ୍ତି ଜୀବନ ମୋହର ।

 

ଅନ୍ଧ ମୁହିଁ ଜ୍ଞାନହୀନ, ତାଜ୍ଞାନରେ ଜ୍ଞାନୀ,

ଅନ୍ତରେ ଶୁଣିଛି ସଦା ତାର ପ୍ରେମବାଣୀ,

ତାସଙ୍ଗେ ଆତ୍ମାରେ ମମ ରବି ପଦ୍ମ ସମାଗମ,

ସାର୍ଥକ ମୋହର ପ୍ରେମ ସାର୍ଥକ ମୋ ଜୀବ,

ତହିଁର ଉପମା ଆହା ତୁହିରେ ରାଜୀବ ।

 

(ପଞ୍ଚମ ତରଙ୍ଗ)

ତାରା ପ୍ରତି

 

ଦୂର ଗଗନରେ       ଜୁଳୁ ଜୁଳୁ ଚାହିଁ

ହସୁ ତୁହି କ୍ଷୁଦ୍ର ତାରା,

କ୍ଷଣକେ ହୃଦୟେ       ପରଶି ମୋହର

କେତେ ଚିନ୍ତା ଆଣୁ ପରା ।

କେଉଁ ଦୂର ଦେଶେ ଅଛୁ ତୁ ତାରକା,

ଭାବି ଯା’ର କଥା ଉପୁଜଇ ଦକା,

ଚିନ୍ତା, ଜ୍ଞାନ ତହିଁ ହୁଏ ମୋର ଥକା,

କ୍ଷଣକେ ହୃଦୟେ ପଶଇ ଛନକା

ସତେ କେଡ଼େ ତୁଚ୍ଛ ନର ଅହମିକା,

ତୁଚ୍ଛ ଦର୍ପ ମାତ୍ର ତା ଉପଜୀବିକା ।

ଅନନ୍ତ ବିସ୍ତୃତ      ନୀଳାକାଶ ତଳେ

ହସି ତୁହି କ୍ଷୁଦ୍ର ତାରା,

ସାନ୍ତ ମୁଁ ମାନବ,       ବହେ ତୋ ପରାଣେ

ଅନନ୍ତ ଭାବନା-ଧାରା ।

ନୀରବ ନିଶୀଥେ ନଭସ୍ତଳ ଚାହିଁ

କୋଟି କୋଟି ତାରା କ୍ଷଣକେ ଦେଖଇଁ,

ନୀରବ ଆକାଶ ନୀରବ ଧରଣୀ

ଗମ୍ଭୀରେ ପ୍ରଚାରେ ସତେ ଦିବ୍ୟବାଣୀ,

ନୀରବତା ଭେଦି ଆସି ମୋ ପରାଣେ

ପଶେ ସେହି ସ୍ୱର ବାଜେ ଘନେ ଘନେ,

କହିଯାଏ କାନେ      କେତେ କେତେ କଥା,

ସତେ ମୁଁ ମାନବ ଛାର

ଆସିଅଛି କାହୁଁ      ଯିବି ମୁଁ କେଣିକି

କେଉଁ ଦେଶେ ମୋର ଘର ?

କାହିଁ ମୋ ଅସ୍ତିତ୍ୱ ବୁଦ୍‌ବୁଦ୍‌ ସମାନ,

କ୍ଷଣେ ଫୁଟି କ୍ଷଣେ ଯାହା ହୁଏ ଲୀନ !

କ୍ଷଣକେ ହସଇ ସଜ ଫୁଲ ପରି

ଫେଇ ମୋର ରୂପ ଫେଇ ମୋର ଶିରୀ,

ପରକ୍ଷଣେ କାହିଁ ଯିବି ମୁଁ ଉଭେଇ,

ପାରିବୁ କି ତାରା, ପାରିବୁ କି କହି ?

କାନ୍ଦି କାନ୍ଦି କିପାଁ       ବୁଲୁଅଛି ଭବେ,

ଜାଣିବାର ଇଚ୍ଛା କେତେ,

କେତେ ଶାସ୍ତ୍ର ପଢ଼ି      କେତେ ତତ୍ତ୍ୱ ଲୋଡ଼ି

ବୁଝି ନ ବୁଝିଲି ସତେ ।

କିପାଁ ମୁଁ ମାନବ ଆସି ଏ ବିଦେଶେ

ଦୁଇଦିନ ପରେ ଫେରିଯିବି ଶେଷେ ?

ଆସିଲି ମୁଁ କାହୁଁ, ଯିବି ମୁଁ କେଣିକି

କହ ତାରା ମୁହିଁ ପାରିବି ଜାଣି କି ?

ଜଣାଇପାରୁ କି ନଭୋଦେଶବାସୀ,

କାହିଁ ମୋର ଘର, କିପାଁ ମୁଁ ପ୍ରବାସୀ ?

ଆସିଅଛି କେଉଁ      ଦୂର ରାଇଜରୁ

କହିବିୁ କି କ୍ଷୁଦ୍ର ତାରା ?

କ୍ଷୁଦ୍ର ତୋର ହାସ୍ୟ       ଗଗନର ପ୍ରାନ୍ତେ

କେତେ କଥା କହେ ପରା!

କହ ସତେ ମୋର ଅଛି ଜଣେ ମିତ୍ର,

ଅଦୃଶ୍ୟ ଅନନ୍ତ ପ୍ରେମରେ ବିଚିତ୍ର,

ନିମିଷେ ନିମିଷେ ଯା ପରଶ ପ୍ରାଣେ

ନବ ନବ ଆଶା ପ୍ରେମ ଭକ୍ତି ଆଣେ,

କରେ ଆକର୍ଷଣ ଗୋପନେ ଗୋପନେ,

ଦେଖେଁ ମୁଁ ଅଦୃଶ୍ୟ ମୂରତି ସ୍ୱପନେ,

ଲଳିତ ବୀଣାର ତାନେ

ମରମେ ପରଶି       ଗାଏ କେତେ ଗୀତ

ବାଜିଯାଏ ସତେ କାନେ ।

ପାରେ ନାହିଁ ବୁଝି ସେ ଅବ୍ୟକ୍ତ ଭାଷା,

ତଥାପି ପ୍ରାଣରେ ଆକୁଳ ପିପାସା

ଘେନି ମରୁପଥେ ଧାଏଁ ମୁହିଁ ପାନ୍ଥ,

ମରୀଚିକା ଦେଖି କ୍ଷଣେ କ୍ଷଣେ ଭ୍ରାନ୍ତ,

କିପାଁ ସେ ଭୁଲାଏଁ କିପାଁ ସେ ପଳାଏ

ସେହି ଜାଣେ କିପାଁ ହସାଏ କନ୍ଦାଏ,

କ୍ଷଣେ ଦେଇ ହୃଦେ ଦେଖା

ଲୁଚିଯାଏ କେଉଁ      ଅଦୃଶ୍ୟ ଆକାଶେ

ହୃଦେ ରଖି ପଦରେଖା ।

ଅନୁସରି ଧାଇଁଯାଏ ପଦଚିହ୍ନ,

ଖୋଜି ବିଶ୍ୱସାରା ହୁଏଁ କ୍ଳାନ୍ତ କ୍ଷୀଣ,

ଗୋପନେ ଆସି ସେ ସ୍ନେହ-କରସ୍ପର୍ଶେ

ହରିନିଏ ଶାନ୍ତି, ପ୍ରେମ ଭକ୍ତି ହର୍ଷେ

ଉଛୁଳେ ମୋହର ଏ କ୍ଷୁଦ୍ର ପରାଣ,

କିପାଁଇ ବା ତାର ଏ ପ୍ରେମଭିଆଣ

ମୋହ ସଙ୍ଗେ, କହ ତାରା,

ଅଛି କି ତାହାର       ଅଚ୍ଛେଦ୍ୟ ସମ୍ୱନ୍ଧ,

କହ ଆଜ କହ ତ୍ୱରା ।

ସବୁ ପରିଶ୍ରମ ହେବ ମୋ ସଫଳ

ଶୁଖିବ ମୋହର ନୟନର ଜଳ,

ପାଇବି ଯଦି ମୁଁ ଦେଖା ଶ୍ରୀଚରଣ,

ଜୀବନେ ମରଣ କରିବି ବରଣ,

ମରି ମୁଁ ଜୀଇବି ଶୁଭକର୍ମ ଲାଗି

ତା ଶ୍ରୀପଦେ ସର୍ବ ଚିନ୍ତା ଦୁଃଖ ତ୍ୟାଗି,

ଥରେ ଥରେ କିପାଁ      ଦେଖା ଦିଏ ସେହି,

ଉଭେଇଯାଏ ସେ କ୍ଷଣେ,

କେତେ କାନ୍ଦେ ମୁହିଁ ତାହାର ପଶ୍ଚାତେ

ଶୁଣି କି ସେହି ନ ଶୁଣେ ।

ସତ କହ ତାରା, ଏଡ଼େ ସେ ନିଷ୍ଠୁର,

ଶ୍ରୀଚରଣ ତଳୁ କରିବ ସେ ଦୂର,

ଭକତବତ୍ସଳ ପ୍ରଭୁ ଭଗବାନ

ଯୁଗେ ଯୁଗେ କହିଛନ୍ତି ମହାଜନ,

ଆଜି ସେହି ନିତ୍ୟ ସତ୍ୟ ପୁଣ୍ୟମୟ

ଦେବେ ପଦତଳେ ଅଭୟ ଆଶ୍ରୟ,

ପଦଛାୟା ଲାଗି ସିନା,

ବିଜନ ଏ ମରୁ-      ପ୍ରାନ୍ତରେ ବୁଲୁଛି,

ଗତି ନାହିଁ ତାହା ବିନା ।

କୌମୁଦୀଧଉତ ନୀରବ ଆକାଶ,

ଧରିଛି ଅଙ୍ଗେ କି ଧରା ଶ୍ୱେତ ବାସ,

ପୁଣ୍ୟ ଶ୍ରୀ ସୁନ୍ଦରୀ ତପସ୍ୱିନୀସମା

ଗମ୍ଭୀରେ ଉଚ୍ଚାରି ଶାନ୍ତି ମନ୍ତ୍ର କ୍ଷମା

ଢାଳେ ପ୍ରତି ପ୍ରାଣେ ଶାନ୍ତିରସଧାରା

ହସି ହସି ତାହା ଦେଖୁଛୁ କି ତାରା,

ମୋର କ୍ଷୁଦ୍ର ପ୍ରାଣେ ଆଜି

ପରଶୁଛି ସେହି       ଶାନ୍ତିସୁଧାରସ

ମର୍ମବାଣୀ ଉଠେ ବାଜି।

କେତେ କଥା ଜାଗେ ମୋର ମନେ

ଦେଖି କ୍ଷୁଦ୍ର ରୂପ ସୁଦୂର ଗଗନେ,

କେତେ ଉଚ୍ଚେ ଦୁହି ଅଛୁ କ୍ଷୁଦ୍ର ତାରା,

କ୍ଷୁଦ୍ର ନୋହୁ ତୁହି କେଡ଼େ ବଡ଼ ପରା,

କ୍ଷୁଦ୍ର ମୁହିଁ, ତେଣୁ ଦିଶେ ମୋ ନୟନେ

କ୍ଷୁଦ୍ର ରୂପ ତୋରଳ ଭାବେଁ ତେଣୁ ମନେ

କ୍ଷୁଦ୍ର ମୋ ଧରଣୀଠାରୁ

ଜକ ଜକ ତୋରା      ମଣିଟି ପରାଏ

ରୂପଟି ଉକୁଟେ ଚାରୁ

ହସୁ ସିନା ତୁହି ଦୂର ନଭୋଭାଲେ,

ଦେଖୁଛୁ ସବୁ ଯା ଘଟେ କାଳେ କାଳେ,

କ୍ଷୁଦ୍ର ତୋର ତନୁ ଦିଶେ ମୋର ନୟନେ

ଜାଣୁ ତୁ ଯାହା ମୁଁ ନ ଜାଣଇ କ୍ଷଣେ,

ଜାଣୁ କ୍ଷୁଦ୍ର ତାରା ଭବ-ଇତିହାସ

ନର ସୁଖ ଦୁଃଖ ବ୍ୟସନ-ବିଳାସ

ଦେଖିଛୁ ତୁ ଧରାତଳେ,

ନ୍ୟାୟ ଅନ୍ୟାୟର       ଜୟ ପରାଜୟ

ନ ଜାଣେ ଯା ବୁଦ୍ଧିବଳେ ।

ଜାଣୁ ତାରା ତୁହିଁ କେମନ୍ତେ ଜଗତ

ସୃଷ୍ଟି ହୋଇଥିଲା, ନ ଜାଣେ ଯା ତତ୍ତ୍ୱ

କ୍ଷୁଦ୍ର ମୋର ବୁଦ୍ଧି, ଭାଳେ ମୋର ଧରା

ବଡ଼ ସବୁଠାରୁ, ନାହିଁ ତାର ପରା,

କୋଟି କୋଟି ଧରା ଅଛିଟି ଯା ସମ

ଦେଖୁ ତୁ, ନ ଜାଣେ ଯାହା ମୁଁ ଅଜ୍ଞାନ

ଅନନ୍ତ ଆକାଶ ବକ୍ଷ

ବିମଣ୍ଡିତ କରି            ଅଛନ୍ତି ଅଦୃଶ୍ୟ

ଗ୍ରହ ତାରା ଲକ୍ଷ ଲକ୍ଷ ।

କିପାଁ ସୃଷ୍ଟ ଏତେ, ଭାବେଁ ବସି ମନେ,

କେମନ୍ତେ ରକ୍ଷିତ ଏ ଅନନ୍ତ ଶୂନ୍ୟେ,

ଏଡେ ବଡ଼ ବିଶ୍ୱେ କେଡ଼େ କ୍ଷୁଦ୍ର ସ୍ଥାନ

ଅଟେ ମାତ୍ର ମୋର, ଜାଣେ କି ଅଜ୍ଞାନ,

ବୃଥା ମୁଁ ସ୍ୱପନ ଦେଖୁଅଛି କେତେ,

କେଡ଼େ କ୍ଷୁଦ୍ର ମୁହିଁ ସମସ୍ତ ଜଗତେ,

ଭାବିଲେ କ୍ଷୁଦ୍ରତା ମୋର,

ଆବେଗେ ନୟନୁଁ            ବହିଯାଏ ନୀର,

ଜାଗେ ହୃଦେ ଚିନ୍ତା ଘୋର।

ସତେ କି ତାରକା, ଜାଣୁ ମୋର ତତ୍ତ୍ୱ,

କେଉଁ ଦେଶେ ପୂର୍ବେ ଥିଲା ମୋ ଅସ୍ତିତ୍ୱ,

ଅଥବା କେବଳ ଧୂଳି ମାତ୍ର ଜୀବ

ଅଣୁ ପରମାଣୁ ସଂଯୋଗେ ଉଦ୍ଭବ,

ସତେ କି ନିଷ୍ଠୁର ଏ ବିଶ୍ୱନିୟତି,

ଯେତେ ଭାଳେଁ ମନେ ନ ହୁଏ ପ୍ରତୀତି,

କହ ମୋତେ କ୍ଷୁଦ୍ର ତାରା,

ଅଣୁକଣା ମାତ୍ର            ନୁହେଁ ଏ ଜଗତ,

ଅନନ୍ତ ପ୍ରେମରେ ଭରା ।

ଜାଣୁ ତୁ ତ ତାରା ଧରା ବିବରଣ,

ନିଖିଳ ଜଗତ ଦେଖେ ତୋ ନୟନ,

ଦେଖିଅଛୁ ତୁହି ଉତ୍‌ଥାନ ପତନ

ମାନବକୁଳର, ଦେଖି ଅନୁକ୍ଷଣ

କେତେ ରାଜ୍ୟ ଜୟ କଲେ କେତେ ଶୂର

କେତେ ରାଜ୍ୟ ନାଶି କେତେ କରି ଜୁର,

ପଶୁପ୍ରାୟେ ବଧି ମାନବପରାଣ

କେତେ ରକ୍ତପାତ କଲେ ଅକାରଣ,

ଦେଖିଛୁ ନିଶ୍ଚଳେ ଥାଇ

କେତେ ଅତ୍ୟାଚାର       ନିର୍ଦ୍ଦୋଷ ପୀଡ଼ନ

ଇତିହାସେ ଯାହା ନାହିଁ ।

ଦେଖୁ ଯୁଗେ ଯୁଗେ ନର ଅହଙ୍କାର,

ଶିର ଟେକି ଉଚ୍ଚେ କରେ ସେ ଚିତ୍କାର

ପର ଗୁଣ ଦ୍ୱେଷି, ଆତ୍ମ ପ୍ରଶଂସାରେ

ଦଳି ପଦତଳେ ଦୁର୍ବଳେ ସଂସାରେ

ବୋଲାଏ ମହତ, ଅନ୍ୟାୟ ଶାସନ

ଶୁଣିଅଛୁ କେତେ ପୃଥିବୀ ରୋଦନ,

ଅନ୍ୟାୟର ଭାରେ ମହୀ

କେତେ ଛାରଖାର             ହୋଇଛି ଦେଖୁଛୁ

ମୁଖେ ଯା ନୋହିବ କହି ।

ଦେଖିଅଛୁ ପୁଣି କେବେ ବୀର ଗୁଣୀ,

କେତେ ମହାରଥୀ କେତେ ଋଷି ମୁନି,
ଶୁଣିଅଛୁ ସେହି ଶାନ୍ତି ଆଶ୍ରମରେ

ରାମାୟଣଗାଥା ବାଲ୍ମୀକି ମୁଖରେ,

ଦେଖିଅଛୁ ରହି ଅନ୍ୟାୟ ଆହବ

ପାଣ୍ଠବଙ୍କ ସଙ୍ଗେ କଲେ ଯା କୌରବ,

ଶୁଣିଛୁ ପୁରାଣଗାଥା,

ବେଦ ବେଦାନ୍ତର             ଓଁ କାରନିର୍ଘୋଷ,

ଅନନ୍ତ ନିର୍ବାଣ କଥା ।

ନିରାଞ୍ଜନାକୂଳେ ମହାଦ୍ରୂମମୂଳେ

ଶାକ୍ୟସିଂହେ ତୁହି ଦେଖିଛୁ ନିଶ୍ଚଳେ,

ସପ୍ତବରଷର କଠୋର ତପସ୍ୟା

ଫେଡ଼ିବାକୁ ନରଦୁଃଖର ସମସ୍ୟା,

‘‘ଅହିଂସା ପରମ ଧର୍ମ’’ ଏ ଜଗତେ

ପ୍ରଚାରିତ ଯେହୁ କଲେ ଲୋକହିତେ

ଦେଖିଛୁ ସେ ଧର୍ମପ୍ରାଣ,

ଅଶୋକ ନୃପତି-             କୀରତିନିଚୟ

ଥିଲେ ଯେହୁ ଦୟାବାନ ।

ଦେଖିଅଛୁ ପୁଣି ବୀର ସିକନ୍ଦର

ସମସ୍ତ ଜଗତ କରି ଅଧିକାର

ଏକଛତ୍ର ମହାସାମ୍ରାଜ୍ୟ ସ୍ଥାପନେ

କୃତକାର୍ଯ୍ୟ ନୋହି ମରି ବିଷପାନେ

କହିଯାଇଥିଲେ, ‘‘ମୁକ୍ତ ରଖି କର

ଦେଖାଇବ ବୃଥା ନର ଅହଙ୍କାର,

ଯାଇଛି ମୁଁ ଶୂନ୍ୟ କରେ,

କେହି କିଛି ସଙ୍ଗେ             ଘେନି ତ ନଯାଏ,

ଅଳୀକ ସବୁ ସଂସାରେ ।’’

ଦେଖିଅଛୁ ପୁଣି ଘୋର ମରୁଦେଶେ

ଋଷି ମହମ୍ମଦ ବିଭୁଙ୍କ ଆଦେଶେ

ପ୍ରଚାରିଲେ ପୁଣ୍ୟ ଧର୍ମ ଇସଲାମ

ଦୂର କରି ଘୋର ମୂର୍ତ୍ତିପୂଜାତମଃ,

ସମସ୍ତ ଆରବ ମନ୍ତ୍ରମୁଗ୍‌ଧ ସମୟ

ଶୁଣିଥିଲେ ଯାର ବାକ୍ୟ ଅନୁପମ

ଦେଖିଅଛୁ କ୍ଷୁଦ୍ର ତାରା,

ଖ୍ରୀଷ୍ଟ ଚୈତନ୍ୟଙ୍କ             ମହାପ୍ରେମ–ଧର୍ମ

ପ୍ରଚାରେ ପବିତ୍ର ଧରା ।

ଦେଖିଅଛୁ ପୁଣି ଶତ ନରପତି

ରଖିଯାଇଛନ୍ତି ବିଶ୍ୱେ ଯେ କୀରତି

ଆଜିଯାଏ ଶୋଭେ ଯେ ତାଜମହଲ,

ଆଜିଯାଏ ରାଜେ ରମ୍ୟ ନୀଳାଚଳ

ଆଜିଯାଏ କ୍ଷୁଦ୍ର ଉଜ୍ଜ୍ୱଳ ବକ୍ଷରେ

ପୂର୍ବ ଶିଳ୍ପ-ଶୋଭା ଦେଖାଇ ଗର୍ବରେ

ରାଜଇ ମନ୍ଦିର ଶତ,

କାହିଁ ଆମ୍ଭେ ଦୀନ             ଉତ୍କଳୀୟ ଆଜି

ତୁଚ୍ଛ, ବଳହୀନ, ନତ !

ଶୁଣିଅଛୁ ପୁଣି ଶତ ପୁଣ୍ୟଗାଥା

ଅପୂର୍ବ ସାହସ କର୍ତ୍ତବ୍ୟର କଥା,

ଦେଖିଅଛୁ ସେହି ଜ୍ୱଳନ୍ତ ନାବରେ

ପ୍ରାଣବିସର୍ଜନ କଲା ଅକାତରେ

ତେଜସ୍ୱୀ ତରୁଣ ସେ କାସାବିଏଙ୍କା

ପିତ୍ରାଦେଶେ ତେଜି ଜୀବନର ଶଙ୍କା

ନେପୋଲ୍ୟନ ମହାବୀର

ଅଦ୍ଭୁତ ଉନ୍ନତି             ଦେଖିଅଛୁ, ସବୁ

କରିପାରେ ସୁଧୀ ଧୀର ।

ଉଆଟର୍ଲୁର ସେ ସମର ଭୀଷଣ,

ଦେଖିଛୁ କେମନ୍ତେ କ୍ଷଣକେ ପତନ,

ବିଶ୍ୱାସଘାତକ, ଯା ପାପର ନାହିଁ

ପ୍ରାୟଶ୍ଚିତ ଭବେ, ଦେଖିଲୁ ତୁ ଚାହିଁ,

କୂଟ ରାଜନୀତି ସବୁ ପାରେ କରି

କଳାକୁ ଧଳା ସେ ପଚାରି ବିଚାରି,

ଦେଖିଅଛୁ ତାରା ପୁଣି,

ସ୍ୱାଧୀନତା ଲାଗି             କରେ ପ୍ରାଣପଣ

ଫ୍ରାଙ୍କ୍‌ଲୀନ୍‌ ବୀର ଗୁଣୀ ।

ଦେଖିଅଛୁ କେତେ ଗହନ କାନନେ

ଭ୍ରମିଛନ୍ତି ନର ଧର୍ମଜ୍ୟୋତି ଦାନେ,

ସୁଦୂର ଆଫ୍ରିକା, ୟୁରୋପ ସୁଦୂର,

ଅସୀମ ସାହସେ ଲଙ୍ଘି ପାରାବାର

ଲଙ୍ଘି ଗିରିବନ ନିଗ୍ରୋ କୁଟୀରରେ

ଜାଳିଛନ୍ତି ଧର୍ମଦୀପ କେତେ ନରେ,

ଦେଖିଅଛୁ ପୁଣି ଚାହିଁ,

ସ୍ୱାର୍ଥ ସାଧନାର            ଆଶ୍ଚର୍ଯ୍ୟ ବିକାଶ

କଳଙ୍କିତ କଲା ମହୀ।

ଭୀଷଣ ଦାସତ୍ୱ ପ୍ରଥା ସୃଜି ସୁଖେ

ଲଗାଇଲେ କେତେ କାଳି ଧର୍ମମୁଖେ,

କେତେ ଅତ୍ୟାଚାର, କେତେ ଆର୍ତ୍ତସ୍ୱର

ପହଞ୍ଚିନାହିଁ କି ସେ ତ୍ରିଦିବପୁର ?

ଥିଓଡ଼ର ତହୁଁ ଆସି ଧରାତଳେ

ଦୂର କଲେ ତାହା ଦୟା ବୁଦ୍ଧିବଳେ,

ଦେଖିଅଛୁ ସତେ ତାରା,

ପୁଣ୍ୟମୟୀ କେତେ            ରମଣୀର କୀର୍ତ୍ତି

ସୀତା, ଦୁର୍ଗାବତୀ, ମୀରା ।

ପୁଣ୍ୟବତୀ ଦେବୀ ରାଣୀ ଭିକ୍ଟୋରିୟା,

ଅହଲ୍ୟା, ଫ୍ଳୁରେନ୍‌ସ ମୂର୍ତ୍ତିମତୀ ଦୟା

ଅକାତରେ କେତେ ଦୟାଧର୍ମ ବିହି

ପଦପଦ୍ମ ସ୍ପର୍ଶେ ପୁଣ୍ୟ କଲେ ମହୀ;

ଦେଖିଅଛୁ ସତେ ଧରା-ଅଳଙ୍କାର

ରମଣୀ ଚରିତ୍ର ସୁଷମାର ସାର,

ଶୁଣିଅଛୁ ତୁହି ତାରା,

କେତେ କବିଙ୍କର             ମଧୁବାଣୀତାନ

ଉଚ୍ଛ୍ୱସିତ ପ୍ରେମଧାରା ।

ସାରଳା, ଉପେନ୍ଦ୍ର, କାଳିଦାସ ଆଦି,

ହୋମର, ହାଫେଜ, ଭବଭୂତି, ସାଦି,

ବାଇରନ, ସେଲି, ମୂର, ଟେନିସନ,

ଗାଇଥିଲେ ଯେଉଁ ଗାଥା ମିଲଟନ,

ଶୁଣିଅଛୁ ଶତ ହୃଦୟ ଉଚ୍ଛାସ,

ଶ୍ରୀ ଚରଣତଳେ ସଙ୍ଗୀତ ବିଳାସ,

ଦେଖିଅଛୁ ପୁଣି ତୁହି

ଭୀଷଣ ସମର            ସ୍ୱାର୍ଥସାଧନାରେ

ନାରଖାର କଲା ମହୀ।

ଜ୍ଞାନବିଜ୍ଞାନର ଅଦ୍ଭୁତ କୌଶଳ,

ଜଳେ, ସ୍ଥଳେ, ନଭେ ତଡ଼ିତର ବଳ

ବିନା ତାରେ ବାର୍ତ୍ତା ପ୍ରେରଇ ପଲକେ,

ସୃଷ୍ଟି ବିପର୍ଯ୍ୟୟ ପଟାଏ କ୍ଷଣକେ,

ବାଷ୍ପୀୟ ତରଣୀ, ବାଷ୍ପୀୟ ଶକଟ

ନର ବୁଦ୍ଧି ଜ୍ଞାନ କରଇ ପ୍ରକଟ,

ବିହରି ଅମ୍ବର ରାଜ୍ୟେ

କଳ୍ପନାର ବଳ             କରେ ପରାଜିତ

ନର ଯାହା ସାଧେ କାର୍ଯ୍ୟେ ।

ପଶୁତ୍ୱ ଦେବତ୍ୱ ରାଜେ ନରଠାରେ,

ଅମର ହୁଏ ସେ ନିଜ କରମରେ,

ସମସ୍ତ ଶାସନ କରିପାରେ ନର,

ସର୍ବନାଶ କିନ୍ତୁ କରେ ଅହଙ୍କାର;

ଅହଂଭାବ ତେଜି ହୋଇ ନମ୍ରଚିତ୍ତ

କରିପାରେ ନର ଜୀବନ ମହତ,

ଉଦାର ବିମଳ ସ୍ନେହେ

ବାନ୍ଧିପାରେ ବିଶ୍ୱ                  ନିଜ ହୃଦୟରେ

ମହତ ଜୀବନ କହେ ।

ହେଉ ତାରା ମୋର ସେହି ଦିବ୍ୟ ଜ୍ଞାନ,

କରିବି ଯେସନେ ଏ ଜୀବନ ଦାନ

ବିଶ୍ୱ ସେବା ଲାଗି ହେଲେ ହେଁ ମୁଁ ହୀନ,

ନୁହେଁ ମାତ୍ର ବିଭୁ ଆଶିଷରେ ଦୀନ

ନ ଜାଣେ ଯଦିବା କାହିଁ ମୋର ବାସ

ଅଛି ମାତ୍ର ପ୍ରଭୁ ପୟରେ ବିଶ୍ୱାସ,

ଧରି ରଖିଅଛି ତାହା,

ଅନ୍ଧକାର ଭବ-                  ବିଷମ ଗହନେ

ସେ ଆଲୋକେ ଦିଶେ ରାହା ।

ନୋହିଲେ ତ ମୁହିଁ ହେବି ପଥହରା,

ଶୂନ୍ୟମୟ ମୋର ହେବ ସର୍ବଧରା,

ବ୍ୟର୍ଥ ଉନ୍ମାଦନା ଜାଗେ କି ପରାଣେ,

ଜନ୍ମ ଲଭିନାହିଁ ନର ଅକାରଣେ,

ମହତ ଉଦ୍ଦେଶ୍ୟ ଅଛି ତା ଜୀବନେ,

ହେବି ତତପର ଯେହ୍ନେ ତା ସାଧନେ,

ନିଉଟନ ସମ ମାତ୍ର

ଜ୍ଞାନ ପାରାବାର             ବେଳାଭୂମି ପରେ

ଉପଳେ ଭରଇ ପାତ୍ର ।

ସାରା ଜଗତର ଯେବେ ଜ୍ଞାନରାଶି

କ୍ଷୁଦ୍ର ମୋ ହୃଦୟ ପାରଇ କି ବିକାଶି ?

ପାରେ କିନ୍ତୁ କରି ହୃଦୟ ବିକାଶ

ପ୍ରଭୃପଦେ ରଖି ଅଟଳ ବିଶ୍ୱାସ,

ଈଶ ପ୍ରତିପୂର୍ତ୍ତି ମାନବ ଅନ୍ତରେ

ରାଜେ, ଜଣାଇବି ଯେସନେ ସଂସାରେ

ଆସୁ ପ୍ରାଣେ ନବଶକ୍ତି,

ଅଦୃଶ୍ୟ ଚରଣେ             ଲୟ ରଖି ନିତି

ଉଚ୍ଛୁଳୁ ମୋ ପ୍ରାଣେ ଭକ୍ତି ।

କହ କହ ତାରା, ଆସିଛି କି ଭବେ,

ଦୁଇ ଦିନ ପାଇଁ କାନ୍ଦିବି ନୀରବେ;

ହୃଦଭେଦୀ ତପ୍ତ ଶ୍ୱାସେ ଆୟୁ ମୋର

କ୍ଷୟ କରି ମୁହିଁ ତେଜିବି ସଂସାର,

ଆଉ କିଛି କାର୍ଯ୍ୟ ନାହିଁ କି ମୋ’ ପାଇଁ

ମହତ୍ତ୍ୱ ଦେବତ୍ୱ ଦେଖିଯିବି ଧାଇଁ,

ତେବେ କିପାଁ ଏତେ ପ୍ରେମ,

ହୃଦୟ ଉଚ୍ଛୁଳେ            ଆବେଗେ ଗୋପନେ

ବୃଥା ଯଦି ପରିଣାମ ?

ବୃଥା ଯଦି ମୋର ହୃଦୟ ଉଚ୍ଛ୍ୱାସ,

ବୃଥା ଯଦି ମୋର ଈଶ୍ୱର ବିଶ୍ୱାସ,

ଏଡ଼େବଡ଼ ବିଶ୍ୱ ବୃଥାରେ ବୃଥାରେ

କିଏ କଲା ସୃଷ୍ଟି କହିବୁ କି ବାରେ ?

ଧୂଳିରେ ଯଦିତ ହୁଏ ତନୁ ଲୀନ,

ବିରାଜିତ ଥିବ ଆତ୍ମା ଚିରଦିନ

ରବି କମଳର ପରି,

ଈଶ-ପୁଣ୍ୟ-ପ୍ରେମ            କରେ ଆତ୍ମା-ପଦ୍ମ

ଲଭିବ ସ୍ୱର୍ଗୀୟ ଶିରୀ

କହ ତୋରା, ଯଦି ଏହି ଜ୍ଞାନ ମୋର

ଭ୍ରାନ୍ତ ବୋଲି କେହି କହେ ସୁଧୀବର,

ବୃଥା ଉନ୍ମାଦନା କହେ ଯେବେ କେହି,

ନାହିଁ ତିଳେ ଲଜ୍ଜା, କ୍ଷୋଭ, ଦୁଃଖ ତହିଁ,

କିପରି ପ୍ରାଣରେ କରିବି ଧାରଣ

ଅନନ୍ତ ଶୁନ୍ୟତା ଜଡ଼ର ପ୍ରମାଣ,

ହେବି ଶେଷେ ଜଡ଼ବତ,

ତା’ ଠାରୁ ବରଞ୍ଚ             କର୍ତ୍ତବ୍ୟ ପଥରେ

ଧାଇଁଥିବି ଅବିରତ ।

ଜାଣେ ହେବ ମୋର ନିୟତ ପତନ,

ଲଭି ଦୁଃଖ କିନ୍ତୁ କରିବ ଯତନ,

ଉଠି ପଡ଼ି ମୁହିଁ ଧାଇଁବି ଏକାଗ୍ରେ,

ପର୍ବତ ସମାନ ବିଘ୍ନ ଆସୁ ଅଗ୍ରେ,

ଅବହେଳି ତାହା ଦଳି ପଦତଳେ

ଧାଇଁଯିବି ପ୍ରଭୁ ଶୁଭାଶିଷବଳେ,

ସମର୍ପି ହୃଦୟ ମନ

ପାଦପଦ୍ମ ତଳେ            ଅନନ୍ତ ବିଶ୍ୱାସେ

ତେଜି ତୁଚ୍ଛ ଅହଂଜ୍ଞାନ ।

ହେଉ ବିଶ୍ୱସେବା ମୋ ଜୀବନବ୍ରତ,

ଆସୁ ବାଧା, ଆସୁ ଦୁଃଖ ଶତ ଶତ,

ନ ହୁଏ ଯେହ୍ନେ ମୁଁ କ୍ଷଣକେ ନିରାଶ,

ହେଉ କର୍ମ ଲକ୍ଷ୍ୟ, ବିଭୁପଦେ ଆଶ,

କର୍ତ୍ତବ୍ୟ ମହତ, କର୍ତ୍ତବ୍ୟ ଉଚିତ

କଳି ତାରା, ଆଜି ଜୀବନେ ନିହିତ,

ମୋ ଜୀବନ ନୈଶାକାଶେ

ତାରାସମ ସଦା ଜଳୁ            ଆଶାଜ୍ୟୋତି,

ମାଗୁଣି ମୋ ବିଭୁପାଶେ ।

 

ଷଷ୍ଠ ତରଙ୍ଗ

ସହକାର ପ୍ରତି

 

(୧)

ସହକାର !

ସହକାର, ତୁ କାହାର

କରେଁ ମୁଁ ମନେ ବିଚାର,

କିପାଁ ଆଜି ତୋ’ ଶ୍ରୀଅଙ୍ଗେ ଏ ଶୋଭାସାଗର ?

ଆରେ ଚୂତତରୁ !

କାହା ଆଗମନ ଆଶେ ଏତେ ରୂପ ଧରୁ ?

ଫୁଟିଉଠିଲାଣି ନବ ବକୁଳମଞ୍ଜରୀ,

ଚହଟିଗଲାଣି ବାସ ସମୀରେ ସଞ୍ଚରି,

ଆସିଲାଣି ମଧୁକର ଗୁଞ୍ଜରି ।

ଆରେ ତରୁରାଜ !

କିପାଇଁ ତୋହର ଏଡ଼େ ସୁମୋହନ ସାଜ ?

ହେଲାଣି ଯେ ଆସି କତି ସୁରଭି ସମୟ,

ବହିଲାଣି ଧୀରେ ସ୍ନିଗ୍‌ଧ, ମଧୁର ମଳୟ,

ଫୁଟିଲାଣି ଫୁଲମାଳା,

ଗାଇଲାଣି ପିକବାଳା

ସାଜି ତେଣୁ ଫଲବାସେ ପାଦପ ! ଏମନ୍ତେ

ପ୍ରସ୍ତୁତ ଭେଟିକୁ ପରା ବିମଳ ବସନ୍ତେ ।

କହ ତରୁବର!

ଭକତ, ସାଧକ, ପ୍ରିୟ ତୁ କି ବସନ୍ତର ?

ସ୍ତରେ ସ୍ତରେ ଫୁଲରାଶି ଝରି ଝରି ପଡ଼େ,

ସୁରଭି-ସୁରଭି ସତେ ଶବ୍ଦଗୁଣେ ବଢ଼େ ।

ଘନଶ୍ୟାମ ପୂର୍ଣ୍ଣଦଳ,

ସୁଚିକ୍‌କଣ, ସୁକୋମନ,

ଫୁଲ ତୋଡ଼ା ଧରି କି ରେ ଅଭ୍ୟର୍ଥନା ଆଶେ

ଚାହିଁଛନ୍ତି ପ୍ରତୀକ୍ଷାରେ ବସନ୍ତ ସକାଶେ ?

(୨)

କି ଉଲ୍ଲାସେ, ହାସେ, ରସେ ପୂରିତା ବସୁଧା,

ରଞ୍ଜିତ କି ଛତ୍ରେ ଛତ୍ରେ ପତ୍ରେ ପତ୍ରେ ସୁଧା,

ନିରେଖି ନୟନେ ଆହା ଶମେ ପ୍ରାଣକ୍ଷୁଧା !

ତହିଁ, ନବବର ସମ

ସଜ୍ଜିତ ବସନ୍ତ ଋତୁ କଲା ଆଗମନ,

ଧରଣୀ-ରମଣୀ ପାଶେ,

ମୁଗ୍‌ଧ ପୂତ ପ୍ରେମୋଲ୍ଳାସେ,

ମଳୟ ମାରୁତ ମୃଦୁ କମ୍ପିତ ନିଶ୍ୱାସେ

ସହସା ଉଠିଲା ଧରା ଫୁଲହାସେ ହସି,

ସରୋବରେ ଶତଦଳ ଉଠିଲା ବିକଶି,

ଉଦିଲା ଉଜ୍ଜ୍ୱଳ ରବି ପ୍ରେମକରେ ରସି ।

(୩)

ପଳାଶ, ଅଶୋକ, ପଦ୍ମ, ନିଆଳି, କାମିନୀ,

ଏ ଆଦି କୁସୁମଭୂଷା ପିନ୍ଧି ସୁହାସିନୀ

ଉଜ୍ଜ୍ୱଳ କନକକର-

ବାସେ ବର କଳେବର

ଆବରି ବସିଛି ପରା ବସନ୍ତ ଉତ୍ସଙ୍ଗେ,

ଭାସୁଛି କି ଚଉଦିଗ ଆନନ୍ଦ-ତରଙ୍ଗେ !

ନବୀନ କିଶୋରୀସମା

ପ୍ରୀତିମୟୀ, ମନୋରମା

ଉଜ୍ଜଳି ବିମଳ କାନ୍ତି ଧରିଛି କି ଧରା !

ବ୍ରୀଡ଼ାବତୀ ନବବଧୂ

ସମ ଅବା ପ୍ରେମମଧୂ

ବିତରୁଛି ଫୁଲବାସେ ମନ୍ଦାନିଳେ ପରା !

ହରଷେ ବିହଙ୍ଗାବଳୀ

ନିନାଦନ୍ତି ବନସ୍ଥଳୀ,

ଗାଇ ମଧୁକଣ୍ଠେ ସୁଧାଲଳିତ କାକଳୀ,

ସମୀରଣ ସଞ୍ଚରଣେ,

ଅଳିକୁଳ ଗୁଞ୍ଜରଣେ,

ଝଙ୍କାରି ଉଠୁଛି ବୀଣା, ଅବା ଚରାଚର

ଗାଆନ୍ତି ବିବାହଗୀତି ଧରା-ବସନ୍ତର ।

ପାଦପ, ଏକାଳେ !

ତୁ କି ନବ କିଶଳୟ ବକୁଳର ମାଳେ

କନ୍ୟାସଖୀ ସମ ସାଜିଅଛି ଡାଳେ ଡାଳେ ?

ଫୁଲତୋଡ଼ା ଧରି ଅବା ହୋଇଅଛୁ ଉଭା,

ଶୁଭବିବାହ ବାସରେ ବଢ଼ାଇବୁ ଶୋଭା ।

ବକୁଳମାଳାରେ ଛନ୍ଦି

ବସନ୍ତ ବରକୁ ବନ୍ଦୀ

କରିବୁ କି ଧରା ପାଶେ ତୋର ଅଭିଳାଷ ?

ଆନ ସୁଖେ ସୁଖୀ ହୋଇ କରୁ ତୁ ଉଲ୍ଲାସ ।

(୪)

ମହୀରୁହ !

କାହୁଁ ତୋ’ ଉପମା ଆଜି ଆଣିବି ମୁଁ କହ ।

କି ସୁନ୍ଦର ଶୋଭାମୟ ଚାରୁପତ୍ରାବଳୀ,

ଖଞ୍ଜେ ଖଞ୍ଜିଅଛି ବିହି ଶ୍ୟାମରଙ୍ଗେ ଝଳି,

ସ୍ତବକେ ସ୍ତବକେ ଫୁଲଭାର ଶୀର୍ଷେ ତୋଳି,

ତୁ ତୋର ଉପମା ସିନା,

ଦୀନ ଭାରତୀୟ ବିନା

କେ ବୁଝିବ ତୋ ମହିମା ରେ ଚୁତ ଅଟବି !

ତୁ କି ବସନ୍ତର ସତେ ଦୀପ୍ତ ପ୍ରେମଛବି !

ଶତ ଶତ ବୃକ୍ଷରାଜି ରାଜେ ମହୀପରେ,

କେ ଜଣେ କହରେ ତୋତେ ସୁନ୍ଦରପଣରେ,

ଲଳିତ, କୋମଳ, ସ୍ନିଗ୍‌ଧ, ପୂର୍ଣ୍ଣ ଅମୃତରେ !

ନବୀନ ବସନ୍ତ ପ୍ରାତେ ଚୂତ କାନନରେ

ଶ୍ୟାମ କିଶଳୟକୁଞ୍ଜେ

ବକୁଳ ମୁକୁଳପୁଞ୍ଜେ

ଝଙ୍କାରେ ଯେ କାଳେ ଅଳି ମୃଦୁ ଗୁଞ୍ଜନରେ,

ଯେକାଳେ କୋକିଳ ଗାଏ ତୋ ଗୁପ୍ତ କୋଟରେ,

ପବନେ ତା ଆସେ ଭାସି,

ଆଚମ୍ବିତେ କର୍ଣ୍ଣେ ପଶି

ଉଛୁଳାଇ ପ୍ରାଣବ୍ୟଥା ବାଜେ କି ମର୍ମରେ

ଦୂରାଗତ ସ୍ୱର, ପ୍ରେମେ ନେତ୍ରଯୁଗ ଝରେ ।

(୫)

ଆରେ ସହକାର !

ବୃକ୍ଷମଧ୍ୟେ ଏକା ତୁହି ସର୍ବଶୋଭାଧାର,

ରୂପେ ଗୁଣେ ସମତୁଲ କେ ହେବ ତୋହର ?

ତୋ କୁସୁମ ଫଳ ବେନି ବିତ୍ତ ଭାରତରେ

କି ରସାଳ, କି ମଧୁର, କ ସୁରଙ୍ଗ, କି ସୁନ୍ଦର !

ବିଦେଶୀ ଆପଲ୍ଲ, ସେୱ

କେଉଁକାଳେ ସରିହେବ

ତୋ ଅମୃତ ଫଳ ସଙ୍ଗେ, ହୀରକ କରକା

ରୂପେ ଗୁଣେ କେଉଁକାଳେ ହେବେ କହ ଏକା !

ସୁବର୍ଣ୍ଣ ସହିତ କେବେ ପିତ୍ତଳ କି ସରି,

ମୁକୁତା, ଶିଶିର କେବେ ହେଲେ ଏକାପରି !

(୬)

ରେ ଚୂତ ଅଟବୀ !

କିପରି ଭୁଲିବି ତୋର ସ୍ନିଗ୍‌ଧ ଶ୍ୟାମଚ୍ଛବି ?

ନୋହୁ ଅତି ବଡ଼ ତୁହି ନୋହୁ ଅତି ସାନ,

ତଥାପି ଅଗମଗଣେ ତ ସର୍ବପ୍ରଧାନ,

କାୟା ନୁହେଁ, ଗୁଣ ମାତ୍ର ଜଗତେ ମହାନ ।

ନିଦାଘେ ତୃଷିତ ଶୁଷ୍କ ଧରା ମରୁପରି

ଚାହିଁଲେ ତୋ ଶ୍ୟାମଚ୍ଛବି ଦୁଃଖ ଯାଏ ହରି,

ଘନପତ୍ରରାଶିତଳେ

ମୃଦୁ ବାୟୁଭରେ ଦୋଳେ,

ଗୁଚ୍ଛେ ଗୁଚ୍ଛେ ଫଳରାଜି, ପୁଣି ଡାଳେ ଡାଳେ

କରନ୍ତି ବାନର କ୍ରୀଡ଼ା ଛିଣ୍ଡାଇ ଅକାଳେ,

ବନସ୍ଥଳୀ ଶୋଭନୀୟ,

ଫଳରାଜି ଲୋଭନୀୟ,

ଅନୁଯୋଗ ବିନା ସବୁ ସହୁ ଅତ୍ୟାଚାର,

ବୈରୀ ପ୍ରତି ଏ କି ସତ୍ୟ ପ୍ରେମ ବ୍ୟବହାର ?

ଆରେ ତରୁ !

ସହିଷ୍ଣୁତା ଗୁଣେ ତୁ ଯେ ମାନବକୁ ବଳୁ,

କର୍ତ୍ତକ ମସ୍ତକେ ନମ୍ରେ ଛାୟା ଦାନକରୁ ।

ଏତେ ଶୋଭାରାଶି ଧରି ଅହଂକାର ନାହିଁ,

ଫଳଭାରେ ନତ ରହିଥାଉ ଭୂଇଁ ଚାହିଁ ;

ଦର୍ପିତ, ଅନ୍ଧ ମୁଁ ତୋର ସରି ହେବି କାହିଁ !

ଗୁଣୀ ଯେ ପ୍ରକୃତ, ସେହି ସୃଜନ ବିନୟୀ,

ମୁର୍ଖ ମାତ୍ର ହୁଏ ସ୍ଫୀତ ବୃଥା ଗର୍ବ ବହି,

ନୀରବେ ଏ କଥା ସର୍ବେ ଜଣାଉ କି ତୁହି ?

ରେ ରସାଳଦ୍ରୁମ !

ଇଙ୍ଗିତେ ଦେଖାଇଦେଉ ମୋର ଆତ୍ମଭ୍ରମ ।

ପ୍ରଚଣ୍ଡ ମାର୍ତ୍ତଣ୍ଡତାପେ ଦଗ୍‌ଧ, କ୍ଳିଷ୍ଟ, କ୍ଳାନ୍ତ,

ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ,

ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ?

ଶିଖାଅ ହେବି ତୋ ସମ

ସୁବିନୀତ ନମ୍ରମନ,

ଅକାତରେ ଭବସେବା ଯାଉଥିବି କରି,

ମୋ କ୍ଷୁଦ୍ର ଆୟାସେ ବହୁ କ୍ଳେଶ ନେବି ହରି,

ପ୍ରତିଦାନେ ବିନା ହିତ କରିବି ତୋ’ପରି ।